ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ ଚଳିତ ମାସ ୧୨ ତାରିଖରେ ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ଏକାଧିକ ଦୋକାନରୁ ଚୋରି ହୋଇଥିଲା।
ହୋଟେଲ, କିରାଣୀ ଦୋକାନ ଏବଂ ଔଷଧ ଦୋକାନରୁ ଚୋରି ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିିଥିଲା । ଗୁରୁବାର ୩ ଜଣିଆ ଚୋର ଦଳକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ସହ ନଗଦ ୧୬ ହଜାର ୧୯୨ ଟଙ୍କା ଏବଂ ୬ଟି ମୋବାଇଲ ଜବତ ହୋଇଥିଲା । ଜବତ ହୋଇଥିବା ସାମଗ୍ରୀଗୁଡ଼ିକୁ ସଂପୃକ୍ତ ଦେକାନୀଙ୍କୁ ଫେରାଇ ଦିଆଯାଇଛି।
ଶୁକ୍ରବାର ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏସପି ଡା. ସର୍ବଣା ବିବେକ ଏମ, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ଏସଆଇ ବିଭୁତି ଭୂଷଣ ସେଠୀଙ୍କ ଉପସ୍ଥିତିରେ ଦୋକାନୀଙ୍କୁ ଡାକି ଟଙ୍କା ସହ ଚୋରି ସାମଗ୍ରୀ ଫେରାଇ ଦିଆଯାଇଛି । ଘଟଣାର କିଛି ଦିନ ଭିତରେ ଚୋର ଦଳଙ୍କୁ ଠାବ କରିବା ସହ ଚୋରି ହୋଇଥିବା ଟଙ୍କା ଓ ସାମଗ୍ରୀ ଫେରାଇଥିବାରୁ ଇଞ୍ଜିନିୟରିଂ ସ୍କୁଲ ଛକର ଦୋକାନୀ ତଥା ବ୍ୟବସାୟୀ ସଂଘ ପକ୍ଷରୁ ବ୍ରହ୍ମପୁର ପୋଲିସକୁ ସାଧୁବାଦ ଜଣାଯାଇଛି।
Comments are closed.