ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।
ତେବେ ଏସଆଇ ଅଭୟ ଏହି ବିବାଦର ସମାଧାନ ପାଇଁ ପୂର୍ବରୁ ୧୦୦୦ ଟଙ୍କା ନେଇଥିବାବେଳେ, ପରେ ଅଭିଯୋଗକାରୀଙ୍କୁ ଆହୁରି ୪୦୦୦ ଟଙ୍କା ଦେବାକୁ କହିଥିଲେ, ନଚେତ୍ ତାଙ୍କୁ ଫୌଜଦାରୀ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିଲା ।
କୌଣସି ବିକଳ୍ପ ନ ପାଇ, ବ୍ୟକ୍ତି ଜଣକ ଭିଜିଲାନ୍ସକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ଏନେଇ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ । ନୀଳାଚଳ ଅଭିଯୋଗକାରୀଙ୍କଠାରୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ଇସ୍ପାତ କାରଖାନା ଆଗରେ ନେବା ସମୟରେ ପୂର୍ବ ଯୋଜନା ଅନୁଯାୟୀ, ଏସଆଇ ନାୟକଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ଏହା ପରେ ଲାଞ୍ଚୁଆ ଏସଆଇ ଅଭୟ ନାୟକଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ଏହା ସହ ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
Comments are closed.