ଭୁବନେଶ୍ୱର: ଓଡ଼ିଶା ପୋଲିସ ଏସ୍ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨) ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ୧୩ ତାରିଖରେ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।
କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରାଯାଇଥିଲା ଯେ ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପୋଲିସ୍ ତାର ଫର୍ଚୁନର୍ କାର୍ ଓ ଦୁଇଟି ମୋବାଇଲ୍ ଜବତ କରିଛି। ଏହାଛଡ଼ା ତାର ପାସପୋର୍ଟ ବି ଜବତ କରାଯାଇଛି। ବାରମ୍ବାର ନିଜର ଲୋକେସନ୍ ବଦଳାଉଥିଲା ଶଙ୍କର ପୃଷ୍ଟି। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ସିନେମା ଶୈଳୀରେ ଶଙ୍କର ପୃଷ୍ଟିକୁ ଧରାଯାଇଥିଲା।
ଅନ୍ୟପଟେ ପୋଲିସ SI ନିଯୁକ୍ତି ପରୀକ୍ଷା ମହାଘୋଟାଲାରେ ଘାଣ୍ଟିବ ସିବିଆଇ। ଖୋଲିବ ସଂଗଠିତ ଅନ୍ତଃରାଜ୍ୟ କ୍ରାଇମ୍ ସିଣ୍ଡିକେଟର ମହାଗୁମର। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନେଇ ଜାରି ହୋଇଛି ବିଧିବଦ୍ଧ ବିଜ୍ଞପ୍ତି। ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ। ତେବେ ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।
Comments are closed.