Latest Odisha News

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୪୦ ଆତଙ୍କୀ; ପୂରା ଇଲାକା ପୋଲିସ କବ୍ଜାରେ

ଇସଲାମବାଦ: ପୁଣି ନୂଆ ବିବାଦରେ ଫସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ଗୋଟିଏ ବିବାଦରୁ ମୁକୁଳି ନାହାନ୍ତି, ଆଉ ଗୋଟିଏ ବିବାଦରେ ଫସିଛନ୍ତି ଇମ୍ରାନ । ପାକ  ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଲୁଚି ରହିଛନ୍ତି ୩୦ରୁ ୪୦ ଜଣ ଆତଙ୍କୀ । ପାକିସ୍ତାନ ସ୍ଥିତ ପଞ୍ଜାବ ସରକାର ପକ୍ଷରୁ ଆସିଛି ଏପରି ଅଭିଯୋଗ । ଅଭିଯୋଗରେ ଦର୍ଶାଯାଇଛି ଲାହୋରର ଜମାନ ପାର୍କ ସ୍ଥିତ ଇମ୍ରାନଙ୍କ ଘରେ ଏହି ଆତଙ୍କୀମାନେ ଲୁଚି ରହିଛନ୍ତି ।  ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଛି ।

କାର୍ଯ୍ୟ ନିର୍ବାହୀ ସୂଚନା ମନ୍ତ୍ରୀ ଅମୀର ମୀର ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପିଟିଆଇ ଏହି ଆତଙ୍କୀମାନଙ୍କୁ ପୋଲିସକୁ ହସ୍ତାନ୍ତର କରିଦେବା ଉଚିତ । ନଚେତ ଆଇନ ତା ବାଟରେ ଯିବ । ଆତଙ୍କୀଙ୍କ ଉପସ୍ଥିତି ନେଇ ସରକାରଙ୍କ ପାଖରେ ଗୁଇନ୍ଦା ସୂଚନା ଥିବା ସେ କହିଛନ୍ତି ।

ମୀର ଆହୁରି କହିଛନ୍ତି, ଯେଉଁ ଗୋଇନ୍ଦା ରିପୋର୍ଟ ଆସିଛି ତାହା ଅତ୍ୟନ୍ତ ଗୁରୁତର । ପାକିସ୍ତାନ ପଞ୍ଜାବ ସରକାର ପିଟିଆଇର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ୟାସ୍ମିନ ରାଶିଦ, ମିଆଁ ମହମୁଦର ରଶୀଦଙ୍କୁ ମେ ୯ ତାରିଖ ହୋଇଥିବା ଜିନ୍ନା ହାଉସ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ବୋଲି କହିଛି । ଆହୁରି କହିଛନ୍ତି, ଇମ୍ରାନଙ୍କ ସହଯୋଗୀଙ୍କ ଇଶାରାରେ ଏହି ଆକ୍ରମଣ ହୋଇଥିଲା । ପିଟିଆଇ ନେତାମାନେ ବିକ୍ଷୋଭକାରୀଙ୍କୁ ଜିନ୍ନା ହାଉସରେ ନିଆଁ ଲଗାଇ ଦେବା ପାଇଁ କହିଥିଲେ ।

ମଙ୍ଗଳବାର ଶହାବାଜ ଶରିଫଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସୁରକ୍ଷା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ହିଂସା ଘଟଣାରେ ସଂପୃକ୍ତ  ସମସ୍ତଙ୍କ ବ୍ୟକ୍ତି ଓ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

Comments are closed.