Latest Odisha News

କଳାହାଣ୍ଡି ଦୁଷ୍କର୍ମ ଘଟଣା: ପୀଡିତାଙ୍କ ବୟାନ ରେକର୍ଡ କରିବ ପୋଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗି ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ପୀଡିତା ଦେଇଥିବା ବୟାନକୁ ପୋଲିସ ରେକର୍ଡ କରିବ ବୋଲି ସୂଚନା ଦେଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ପିଡିତା କହିଥିଲେ
ଯେ, ” ସେପ୍ଟେମ୍ବର ୧୪ ତାରିଖରେ କିଛି ମେଡିକାଲ ଚେକଅପ ପାଇଁ ମୁଁ ଭବାନୀପାଟଣା ଯାଇଥିଲି । ସେଠାରୁ ଫେରିବା ପାଇଁ ମୁଁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ନରେନ୍ଦ୍ର ଶବର ଓରଫ ଲଲିନ୍ଦ୍ର ସହ ମୋର ଦେଖା ହୋଇଥିଲା । ସିଏ ମତେ ତାର ବାଇକରେ ବସାଇ ମୋ ଗାଁରେ ଛାଡ଼ି ଦେବ ବୋଲି କହିଥିଲା” ।

“ଘରକୁ ଆସିବା ବାଟରେ ସେ ଅନେକ ଥର ଫୋନରେ କଥା ହେଉଥିଲା । ବନମାଲିପୁର ପାଖରେ ସେ ହଠାତ ତାର ବାଇକର ବେଗ କମାଇ ଦେଲା ଏବଂ ମନ୍ଦିର ପଛପଟେ ଥିବା ଜରିଙ୍ଗ ଜଙ୍ଗଲରୁ ୬ ଜଣ ଯୁବକ ବାହାରି ଆସିଲେ ଆଉ ମତେ ଘୋଷାଡି ଜଙ୍ଗଲ ଭିତରକୁ ନେଇଗଲେ । ପ୍ରଥମେ ଲଲିନ୍ଦ୍ର ଓ ପରେ ଅନ୍ୟମାନେ ମୋ ସହ ଦୁଷ୍କର୍ମ କରିଥିବା” କହିଛନ୍ତି ପିଡିତା ।

ପୋଲିସ ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, କିନ୍ତୁ କାହିଁକି ଲଲିନ୍ଦ୍ରଙ୍କୁ ମୁକ୍ତ ଛାଡି ଦେଇଛି ? ଯଥାଶୀଘ୍ର ପୋଲିସ ଲଲିନ୍ଦ୍ରକୁ ଗିରଫ ନକଲେ ମୁଁ ଆତ୍ମହତ୍ୟା କରିବି” ବୋଲି ଧମକ ଦେଇଥିଲେ ପୀଡିତା ।

ସେପଟେ କଳାହାଣ୍ଡି ଏସପି ବି ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ପିଡୀତା ନିଜ ବୟାନରେ କିମ୍ବା ଅଭିଯୋଗରେ ଅଭିଯୁକ୍ତର ନାମ ନେଇ ନଥିବା କାରଣରୁ ତାଙ୍କ ବୟାନ ଆଉଥରେ ରେକର୍ଡ କରାଯିବ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ପୀଡିତାଙ୍କ ଗାଁକୁ ତଦନ୍ତକାରୀ ଅଧିକାରୀଙ୍କ ସହ ଜଣେ ମହିଳା ପୋଲିସ ଅଧିକାରୀ ପଠାଯାଇଛି । ଯଦି ପୀଡିତା ନିଜ ବୟାନରେ ଲଲିନ୍ଦ୍ରର ନାମ ନିଅନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ସରକାରୀ ଦଳ ବିଜେଡିର ଚାପ ଯୋଗୁଁ ଲଲିନ୍ଦ୍ରକୁ ପୋଲିସ ଛାଡ଼ିଦେଇଥିବା ଶୁକ୍ରବାର ଦିନ ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ ଅଭିଯୋଗ କରିଥଲେ ।

ସେ କହିଥିଲେ ଯେ, ଅଭିଯୁକ୍ତ ଲଲିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ପ୍ରବୋଧ ରଥଙ୍କ ଘରୋଇ ବସର ଡ୍ରାଇଭର ଅଟେ । ଲଲିନ୍ଦ୍ରର ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ମଧ୍ୟ ଘନିଷ୍ଠତା ରହିଥିବା କାରଣରୁ ସେ ଲଲେନ୍ଦ୍ର ମୁକୁଳିବା ପଛରେ ତାଙ୍କର ହାତ ଥିବା ଲେଖାଶ୍ରୀ ଗଣମାଧ୍ୟମକୁ କହିଥିଲେ ।

ସେପଟେ ମନ୍ତ୍ରୀ ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଦର୍ଶାଇ ଏହାକୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.