Latest Odisha News

ଖୋର୍ଦ୍ଧାରେ ମାଓବାଦୀ କ୍ୟାମ୍ପ ! ଗଜମୁଣ୍ଡିଆ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦେଉଳି ନିକଟବର୍ତ୍ତୀ ଗଜମୁଣ୍ଡିଆ ଜଙ୍ଗଲରେ ମାଓବାଦୀ ଥିବା ସନ୍ଦେହରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଖୋର୍ଦ୍ଧା ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ମାଓବାଦୀକୁ ପୋଲିସ ଧରି ଜେରା କରିବା ପରେ ଗତକାଲି ରାତିରୁ ଏସଓଜି ଯବାନଙ୍କ ସହଯୋଗରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁଯାୟୀ, ଗତ ୧୦/୧୫ ଦିନ ହେଲା ଏକ ସନ୍ଦିଗ୍ଧ ଯୁବକ ଖୋର୍ଦ୍ଧା ଏବଂ ଆଖପାଖ ଅଞ୍ଚଳରେ ଚୁଡ଼ା, ମୁଢି ପରି ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟପଦାର୍ଥ କିଣୁଥିଲେ । ସେ ପଶ୍ଚିମଓଡ଼ିଶା ଅଞ୍ଚଳର ନୂଆପଡ଼ା ଅଞ୍ଚଳର ବୋଲି କଥାବାର୍ତ୍ତାରୁ ଜାଣିପାରିଥିଲେ । ଯୁବକଙ୍କର ହାବଭାବ ଏବଂ ଚାଲିଚଳନରେ ସନ୍ଦେହ ହେବାରୁ ତାକୁ ଧରି ସ୍ଥାନୀୟ ଲୋକେ ବେଗୁନିଆ ଥାନାରେ ଖବର ଖବର ଦେଇଥିଲେ । ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ମାଓ ସହଯୋଗୀ ସନ୍ଦେହରେ  ଯୁବକଙ୍କୁ ଗତକାଲି ରାତିରୁ ଖୋର୍ଦ୍ଧା ପୋଲିସ ଅଟକ ରଖି ପଚରାଉଚରା କରିଥିଲେ । ତେବେ ଗତକାଲି ରାତିରୁ ସ୍ପେସାଲ୍ ଅପରେସନ ଗ୍ରୁପ (ଏସଓଜି) ପୋଲିସ ଏବଂ ସ୍ଥାନୀୟ ପୋଲିସଙ୍କ ମିଳିତ ସହଯୋଗରେ ଖୋର୍ଦ୍ଧା ଦେଉଳି ନିକଟବର୍ତ୍ତୀ ଗଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ ଏଯାଏଁ ଜାରି ରହିଛି ।

ଘଟଣା ସମ୍ପର୍କରେ ଖବରପାଇ ଖୋର୍ଦ୍ଧା ଏସପି ଦୀପ୍ତି ରଞ୍ଜନ ରାୟ ଏବଂ ଏସଡ଼ିପିଓ ଯୁଗଳ କିଶୋର ଦାସ ବେଗୁନିଆ ଥାନାରେ ପହଞ୍ଚିଥିଲେ ଏବଂ ସନ୍ଦିଗ୍ଧ ଯୁବକଟିର ସମସ୍ତ ବୟାନ ରେକର୍ଡ଼ କରିଥିଲେ ।

ସନ୍ଦିଗ୍ଦ ଯୁବକଟିକୁ ପଚରାଉଚରା ପରେ ସେ ନୂଆପଡ଼ା ଜିଲ୍ଲାର ପଟାଙ୍ଗୀ ଗ୍ରାମର ଏବଂ ତା’ର ନାମ ସୁରେଶ (୨୦) ବୋଲି ଏସପି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ପରେ ସ୍ପେଶାଲ ଅପରେସନ୍ସ ଗ୍ରୁପ (ଏସଓଜି)ର ଏକ ଟିମ ଆସି ସନ୍ଦିଗ୍ଧ ଯୁବକଙ୍କୁ ପଚରାଉଚରା କରିଥିଲେ । ଯୁବକଙ୍କ ବୟାନ ଅନୁସାରେ ଜିଲ୍ଲା ପୋଲିସ ଏବଂ ଏସଓଜିର ମିଳିତ ସହଯୋଗରେ ରାତି ୩ଟା ବେଳେ ଗଜମୁଣ୍ଡିଆ ଜଙ୍ଗଲରେ ଛାନଭିନ୍ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅପରେସନରେ ଜଙ୍ଗଲ ମଧ୍ୟରୁ କିଛି ରୋଷେଇ ସାମଗ୍ରୀ ଜବତ କରିଥିଲେ ଏହି ଟିମ୍ ।

ଇତିମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି, ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ଦିନ ବେଗୁନିଆ ଥାନାରେ ପହଞ୍ଚିଥିବାର ସୂଚନା ହସ୍ତଗତ ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବର୍ତ୍ତମାନ ମଧ୍ୟ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନ ସମାପ୍ତ କରି ନିରାପତ୍ତା ଯବାନମାନେ ବେସ କ୍ୟାମ୍ପକୁ ଆସିବା ପରେ ହିଁ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ ।

Leave A Reply

Your email address will not be published.