ଯାଜପୁର: ବିରଜା ମନ୍ଦିର ପ୍ରକଳ୍ପ, ହାଟ ହେଉ କି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଗତ କିଛି ଦିନ ହେଲା ଯାଜପୁରରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଯାଜପୁର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେପଟେ ଯାଜପୁର ତାତିକୁ ନେଇ ରାଜନୀତିର ପାରଦ ବଢିବାରେ ଲାଗିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିଜେଡି ପୋଲିସ ଡିଜିଙ୍କୁ ଭେଟିଛି । ମାଆ ବିରଜାଙ୍କ ପାଇଁ ଭାଇ ଜେଲ୍ ଯାଇଥିବା କହି ଇମୋସନାଲ୍ କାର୍ଡ ଖେଳିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।
ପୋଲିସ ସାଜିଛି ହାତବାରିସି !
ଯାଜପୁର ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେଡି ଟିମ୍ । ଯାଜପୁରରେ ବେଆଇନ ଭାବେ ଗିରଫଦାରୀ କରାଯାଇଛି । ପୋଲିସ ଶାସକ ବିଜେପିର ହାତବାରିସି ସାଜିଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା । ଜାଣିଶୁଣି ବିଜେଡି ନେତାଙ୍କୁ ଗିରଫ କରାଯାଉଛି । ତେବେ ବିଜେଡି ଅଭିଯୋଗ କରିଥିଲେ ବି ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦଳ ଅଭିଯୋଗ କରିଛି। ସାରା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଥିବା ଦଳର ନେତା କହିଛନ୍ତି । ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିରୋଧୀ ହେବାକୁ ବିଜେଡି ନେତା ମାନସିକ ଭାବେ ପ୍ରସ୍ତୁତ ହୋଇନଥିବା କହିଥିଲେ । ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ କରୁଥିବା କହିଥିଲେ ।
ବବିଙ୍କ ଇମୋସନାଲ୍ କାର୍ଡ
ଭାଇ ଭବ ଦାସଙ୍କ ଗିରଫଦାରୀକୁ ନେଇ ଇମୋସନାଲ୍ କାର୍ଡ ଖେଳିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମାଆ ବିରଜା ଓ ଯାଜପୁର ମାଟିର ଉନ୍ନତି ଲାଗି ଭାଇ ଜେଲ ଯାଇଥିବା କହିଛନ୍ତି। ମାଆ ବିରଜାଙ୍କ କ୍ଷେତ୍ରର ଉନ୍ନତି ଲାଗି ପୂର୍ବ ସରକାରରେ ଜମି ଅଧିଗ୍ରହଣ ସହ ସେବାୟତଙ୍କ ବିସ୍ଥାପନ ହୋଇଥିଲା। ପରେ ହାଟ ସ୍ଥାନାନ୍ତର ପରେ ଅନ୍ୟ ଜାଗାରେ କରାଯାଉଛି । ବ୍ୟବାସାୟୀ ଓ ଚାଷୀଙ୍କୁ ସେ ବିରୋଧ କରୁନାହାନ୍ତି। ପ୍ରଶାସନ ପୂର୍ବ ଡିପିଆର ଦେଖି ଆଲେଚନା କରିବା ଉଚିତ ବୋଲି ବବି କହିଛନ୍ତି ।
ଯାଜପୁରରେ ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁରରେ ବିଜେଡି ଗଡ଼ ଭୁଶୁଡ଼ିବା ପରେ ଦଳ ରକ୍ତମୁଖା ବୋଲି ନାରେଟିଭ୍ ପ୍ରସ୍ତୁତ କରୁଛି ବିଜେପି । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ପଛରେ ସିଧାସଳଖ ବବିଙ୍କ ସଂପୃକ୍ତିକୁ ଉଙ୍ଗିତ କରୁଛି । ଆଇନ ଅନୁସାରେ ଆକ୍ରମଣରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ହିମାଂଶୁ ସାହୁ କହିଛନ୍ତି । ସେପଟେ ଯାଜପୁର ବିରଜା ପ୍ରକଳ୍ପ ପାଇଁ ବାହାରିବାରୁ ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା କହି ଭିକ୍ଟିମ କାର୍ଡ ଖେଳୁଛି ବିଜେଡି । ଯାଜପୁର ବିକାଶ ପାଇଁ ବିଜେଡି ନେତା ଜେଲ୍ ଯାଇଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରୁଛି ବିଜେଡି ।
କ୍ରାଇମବ୍ରାଞ୍ଚ ତନାଘନା
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ ପଛରେ କିଏ? କାହିଁକି ଆକ୍ରମଣ ହେଲା? କେଉଁ ପରିସ୍ଥିତିରେ ରାସ୍ତାରୋକ ଓ ଟାଉନ ଥାନା ଘେରାଉ କରାଯାଇଥିଲା? ସେନେଇ ଖୋଳତା଼ଡ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ବବିଙ୍କ ଭାଇ ଭବପ୍ରସାଦ ଦାସଙ୍କ ନାଁରେ ଆଉ ୩ମାମଲା ଯୋଡିଛି ଟାଉନ ଥାନା ପୋଲିସ । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ, ଅନ୍ୟ ଜଣେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ମାମଲା ଯୋଡାଯାଇଛି । ସେପଟେ ଯାଜପୁର ଟାଉନ ଥାନାରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା । ସମ୍ବେଦନଶୀଳ ସ୍ଥାନରେ ୪୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏପର୍ଯ୍ୟନ୍ତ ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୯ଜଣ ଗିରଫ ହୋଇଛନ୍ତି । ସାକ୍ଷ୍ୟ, ପ୍ରମାଣ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଆଇଜି କହିଛନ୍ତି ।