Latest Odisha News

BREAKING NEWS

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପଡୋଶୀ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି। ଦିଲ୍ଲୀରେ ମମତାଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ଶ୍ରେୟ ରାଜନୀତିକୁ ନେଇ ଟଣାଓଟରା ଜୋରଦାର ହୋଇଛି ।

ଦିଲ୍ଲୀରେ ‘ଆଳୁ’ ଆଲୋଚନା

ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଛନ୍ତି। ଆଲୋଚନା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ ଅହେତୁକ ବୃଦ୍ଧି ପାଉଥିବା କହିଥିଲେ ମୋହନ ମାଝୀ। ଏହାଦ୍ବାରା ରାଜ୍ୟର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ।

ନବୀନ ଲେଖିଥିଲେ ଚିଠି

ଆଳୁ ଦର ବୃଦ୍ଧି ନେଇ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିରେ ସେ ମମତାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଉଭୟ ପଶ୍ଚିମବଙ୍ଗ ଓ ଓଡିଶାର ଲୋକ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ । ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ନିବିଡ । ତେଣୁ ସାଧାରଣ ଲୋକ ଯେପରି ଆଳୁ ପାଇଁ ସମସ୍ୟା ନଭୋଗନ୍ତି, ସେନେଇ ବିଚାର କରିବାକୁ ନବୀନ ମମତାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

ନବୀନଙ୍କ ପାଇଁ ଆସିଲା ଆଳୁ !

ନବୀନ ପଟ୍ଟନାୟକ ପାଞ୍ଚ ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ, କେନ୍ଦ୍ରରେ ବି କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ । ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଭାବେ ନବୀନ ମମତା ବାନାର୍ଜୀଙ୍କୁ ଓଡିଶାକୁ ଆଳୁ ଗାଡି ପଠାଇବା ନେଇ ଚିଠି ଲେଖିଥିଲେ । ନବୀନଙ୍କ ଚିଠିର ନିଶ୍ଚୟ ପ୍ରଭାବ ରହିଛି । ଫଳରେ ପଡୋଶୀ ରାଜ୍ୟରୁ ଆଳୁ ଗାଡି ଆସୁଥିବା ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି।

କ’ଣ କହିଲେ ଯୋଗାଣ ମନ୍ତ୍ରୀ?

ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜ୍ୟକୁ ଆଳୁଗାଡି ଆସିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ରାଜ୍ୟରେ ଆଳୁଦର କମିଛି । ବିଭିନ୍ନ ବଜାରରେ କିଲୋ ପିଛା ୩୪ରୁ ୩୫ଟଙ୍କାରେ ଆଳୁ ବିକ୍ରି ହେଉଛି । ଅଧିକ ଆଳୁ ଟ୍ରକ ରାଜ୍ୟକୁ ଆସିଲେ ଦର ଆହୁରି କମିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଏବେ ୮ରୁ ୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହିଥିବା ସେ କହିଛନ୍ତି ।

ଓଡିଶା-ପଶ୍ଚିମବଙ୍ଗ ସୀମାରେ ଆଳୁ ଟ୍ରକ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଫଳରେ ରାଜ୍ୟରେ ଆଳୁଦର ବୃଦ୍ଧି ହୋଇଥିଲା । ତେବେ ମମତାଙ୍କୁ ନବୀନଙ୍କ ଚିଠିକୁ ସମାଲୋଚନା କରିଥିଲା ବିଜେପି । ୨୪ବର୍ଷ ହେଲା ପୂର୍ବ ବିଜେଡି ସରକାର ଶୀତଳ ଭଣ୍ଡାର କଲେନି, ଆଳୁ ମିଶନ୍ ଫେଲ୍ ମାରିଲା । ଚିଠି ଲେଖି ନିଜ ମୁଣ୍ଡରୁ ଦୋଷ ଛଡାଇବା ନବୀନ ପଟ୍ଟନାୟକଙ୍କ ପୁରୁଣା ଅଭ୍ୟାସ   ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ । ଆଳୁ ଗାଡି ଓଡିଶାକୁ ଆସିବା ପରେ ଏବେ ତେଜିଛି ଶ୍ରେୟ ରାଜନୀତି ।

Comments are closed.