Latest Odisha News

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଛି ବିଜେପି । ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ଅଟେ । କେତେ ଦିନ ଧରି ଉପନିବେଶବାଦର ଲିଗାସି ଧରି ବଞ୍ଚିବା । ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । କିନ୍ତୁ ନାମ ପରିବର୍ତ୍ତନ ନେଇ ଧର୍ମେନ୍ଦ୍ରଙ୍କ ଆପ୍ରୋଚ ପୂରା ଗଣତାନ୍ତ୍ରିକ । ଏଥିପାଇଁ ବିତର୍କର ଆବଶ୍ୟକତା ଥିବା କହିଛି ବିଜେପି ।

ବିଜେପି ବିରୋଧି ବିଜେଡିକୁ ଟାର୍ଗେଟ କରି କହିଛି ଯେ, ବିଜେଡି ଅଣଓଡ଼ିଆ ଅଫିସରଙ୍କ ପାଇଁ ଓକିଲାତି କରୁଥିଲା । ଏବେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି । ବ୍ରିଟିଶରଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ଯେଉଁଥିରେ ୨୦ ଲକ୍ଷ ଓଡ଼ିଆ ମରିଥିଲେ । ରେଭେନ୍ସା ଶିକ୍ଷାନୁଷ୍ଠାନ ଗଠନରେ ଟି. ରେଭେନ୍ସାଙ୍କ କୌଣସି ଭୂମିକା ନାହିଁ । କିନ୍ତୁ ଦୁଃଖର କଥା ବିଜେଡି ସେହି ବ୍ରିଟିଶରଙ୍କ ସପକ୍ଷରେ ଯୁକ୍ତି କରିବା ସହ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ।

ସେପଟେ ଏନେଇ ଅନ୍ୟ ନେତା ମାନେ ମଧ୍ୟ ମୁହଁ ଖୋଲିବାରେ ଲାଗିଲେଣି । ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ନାଁ ବଡ଼ ନୁହେଁ କାମ ବଡ଼, ଏହା ମୋର ବ୍ୟକ୍ତିଗତ ମତ । ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି, ଶିକ୍ଷାର ମାନ ବଢ଼ିବନି । ମାନ ବୃଦ୍ଧି ପାଇଁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ ଭଲ ହେବ । ତେଣୁ ଏ ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ । ତେବେ ଏନେଇ ବିତର୍କ ହେଉ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଗତକାଲି ସ୍ଵାୟତ୍ତ ଶାସନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଥିଲେ । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ ଥିଲା ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି ।

Comments are closed.