Latest Odisha News

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଭୁବନେଶ୍ବର: ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ? କେଉଁ ଦଳର ନେତା କେଉଁ ଦଳକୁ ଯିବେ? ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିକୁ ଯିବା ପରେ ଆହୁରି ଅନେକ ନେତା ଯିବେ ବୋଲି ଭବିଷ୍ୟବାଣୀ କରିଛି ବିଜେପି ତ ବିଜେଡି କହିଛି, ଅନେକ ବିଜେପି ନେତା ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଶାସକ ଓ ବିରୋଧୀ ଦଳରେ ରହିଥିଲେ ବି ସଂଖ୍ୟା ଦୃଷ୍ଟିରୁ ଉଭୟ ଦଳ ମଧ୍ୟରେ ସେମିତି ବଡ ମାର୍ଜିନ ନାହିଁ । ତେଣୁ ପଟ୍ଟ ପରିବର୍ତ୍ତନର ଆଶଙ୍କାକୁ ନେଇ ସରଗରମ ଚର୍ଚ୍ଚା ହେଉଛି ।

ଆଗକୁ ବଡ଼ ବିସ୍ଫୋରଣ !

ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ, ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି କନ୍ଧମାଳର ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ବିଜେଡିର ଦୁଇ ରାଜ୍ୟସଭା ସାଂସଦ ବିଜେପିକୁ ଯିବା ପରେ ବହୁ ପଦାଧିକାରୀ ବିଜେପି ସହ ସଂପର୍କରେ ରହିଛନ୍ତି । ବିଧାୟକ, ପୂର୍ବତନ ବିଧାୟକ ଯୋଗାଯୋଗରେ ରହିଛନ୍ତି । ଆଗକୁ ବହୁ ନେତା ବିଜେପିରେ ମିଶି ବିକାଶ ଧାରାରେ ସାମିଲ ହେବେ ବୋଲି ସୁକାନ୍ତ କହିଛନ୍ତି । ସେପଟେ ଦେବୀ ମିଶ୍ର ବି କହିଛନ୍ତି ସମାନ କଥା । ବିଜେପିର ଅନେକ ନେତା ବି ବିଜେଡି ସହ ଯୋଗାଯୋଗରେ ରହିଛନ୍ତି । ଓଡିଶାର ବିକାଶ ଦଳର ପ୍ରାଥମିକତା । ବିରୋଧୀ ଦଳରେ ଥିଲେ ବି ବିକାଶ ଧାରାକୁ ବିଜେଡି ଆଗକୁ ନେବ ବୋଲି ଦେବୀ ମିଶ୍ର କହିଛନ୍ତି ।

ମମତା, ସୁଜିତଙ୍କ ପରେ କିଏ?

ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ସହ ଦଳବଦଳ ଚର୍ଚ୍ଚା ବଢିଛି । ବିଜେଡିରୁ ଆହୁରି କିଛି ନେତା ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ରହିଥିବା ବିଜେପି ନିଜ ବଳ ବଢାଇବାକୁ ଚାହୁଁଛି । ସେଥିପାଇଁ ପ୍ରତିଦ୍ବନ୍ଦ୍ବୀ ବିଜେଡିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ବିଜେପି । ବିଜେଡି ବିରୋଧୀ ଦଳରେ ରହିଥିଲେ ବି ଦଳର ସାଂଗଠନିକ ଶକ୍ତି ବେଶ୍ ସୁଦୃଢ । ସେଥିପାଇଁ ତୃଣମୂଳସ୍ତରରୁ ସଂସଦ ଯାଏଁ ଦଳକୁ ଦୁର୍ବଳ କରିବାକୁ ରଣନୀତି କରୁଛି ବିଜେପି । ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ ସେଭଳି ମାର୍ଜିନ ନାହିଁ । ତେଣୁ ରାଜନୈତିକ ଅସ୍ଥିରତା ଆଶଙ୍କା ଚର୍ଚ୍ଚା ଲାଗିରହିଛି ।

ଘର ସଜାଡୁଛନ୍ତି ନବୀନ

ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ଛାଡିଛନ୍ତି ୨ ସାଂସଦ ମମତା ମହନ୍ତ ଓ ସୁଜିତ କୁମାର । ଏହାପରେ କେଉଁଠି ନା କେଉଁଠି ବିଜେଡିରେ ଛନକା ରହିଛି। ନବରଙ୍ଗପୁରରୁ ଭୁବନେଶ୍ବର, ବିଜେଡି ନେତାଙ୍କ ମଧ୍ୟରେ କଳି ବଢୁଥିବା ବେଳେ ବିଭିନ୍ନ କାରଣକୁ ନେଇ ଅସନ୍ତୋଷ ରହିଛି । ନିର୍ବାଚନ ପରିଚାଳନାକୁ ସିଧାସଳଖ ଆଙ୍ଗୁଳି ଦେଖାଇଲେଣି ପ୍ରଦୀପ ମାଝୀଙ୍କ ଭଳି ନେତା । ଭୁବନେଶ୍ବର କଳି ତ ଥାନାରେ ପହଞ୍ଚିଲାଣି। ତେଣୁ ଦଳର ନେତା ଓ କର୍ମୀଙ୍କ ମନୋବଳ ବଢାଇବାକୁ ଚେଷ୍ଟା କରୁଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ଘନ ଘନ ବୈଠକ କରି ପରାଜୟର ପୋଷ୍ଟମର୍ଟମ କରିବା ସହ ଦଳକୁ ଏକଜୁଟ କରିବାକୁ ଉଦ୍ୟମ କରୁଛନ୍ତି ।

କଂଗ୍ରେସ ସହ ହାତ ମିଶାଇବ ବିଜେଡି !

କ୍ଷମତା ଦଖଲ ପାଇଁ ଭିନ୍ନ ଭିନ୍ନ ସମୀକରଣକୁ ନେଇ ଚର୍ଚ୍ଚା ଜୋରଦାର ହେଲାଣି । କଂଗ୍ରେସ ସହ ଆବଶ୍ୟକସ୍ଥଳେ ହାତ ମିଶାଇ ସରକାର କରିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । କେନ୍ଦ୍ରରେ ମେଣ୍ଟ ସହଯୋଗୀଙ୍କୁ ଭରା ଦେଇ ସରକାର ଗଠନ କରିଥିବା ବିଜେପିର କ୍ଷମତା ସମୀକରଣ ବିଗିଡିବା ନେଇ ଆଶଙ୍କା କରୁଛନ୍ତି ରାଜନୈତିକ ବିଶେଷଜ୍ଞ। କୌଣସି କାରଣରୁ ଜେଡିୟୁ ଓ ଟିଡିପିର କେବେବି ୟୁ-ଟର୍ଣ୍ଣ ନେଲେ ବିଜେପିର କେନ୍ଦ୍ର ଇଞ୍ଜିନ ଲାଇନଚ୍ୟୁତ ହୋଇପାରେ । ଏଭଳି ସ୍ଥିତିରେ ରାଜ୍ୟରେ ବି କ୍ଷମତା ପରିବର୍ତ୍ତନ ବାଆ ବହିପାରେ । ତେଣୁ ସବୁ ସମ୍ଭାବନାକୁ ନେଇ ଅଙ୍କ କଷୁଛନ୍ତି ଉଭୟ ବିଜେପି ଓ ବିଜେଡି ।

Leave A Reply

Your email address will not be published.