Latest Odisha News

[ଦେଖନ୍ତୁ ଭିଡିଓ] ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଯିବେ, ପୋପଙ୍କୁ ଭେଟିବେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଜଣାପଡ଼ିନାହିଁ । କୁହାଯାଉଛି ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ ଗସ୍ତରେ ଯିବେ । ଅନ୍ୟପଟେ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିବେ କି ନା ତାହା ଜଣାପଡ଼ିନି ।

କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅଧିବେଶନ ସମୟରେ ନବୀନ ବିଦେଶ ଗସ୍ତରେ ଥିବେ ଓ ଭର୍ଚୁଆଲରେ ସାମିଲ୍ ହେବେ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଟ୍ୱିଟ୍ କରି ଲେଖିଛନ୍ତି, ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର ବିଧାନସଭା । ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ ବୋଲି ମୁଁ ମନେ କରୁଛି ।

ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥାନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚୁଆଲ୍ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା; ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ ।

ବିଜେପି କରିଥିବା ଅଭିଯୋଗର କାଉଣ୍ଟର ରଖିଛି ବିଜେଡି । ଦଳ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ରାଜ୍ୟ ବିଜେପି ସଭାପତି ବିନା ତଥ୍ୟ ଆଧାରରେ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ସଦାବେଳେ ସମର୍ପିତ ଭାବେ କାର୍ଯ୍ୟ କ ରିଆସୁଥିବାରୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ।

Politics Over CM Naveen Patnaik's Foreign Visits, BJD Target BJP

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଏଯାଏ ସ୍ଥିରୀକୃତ ହୋଇ ନ ଥିବା ବେଳେ, ସତ କଣ ନ ଜାଣି ଏଭଳି ମନ୍ତବ୍ୟ ଦେବା ରାଜ୍ୟ ବିଜେପି ସଭାପତିଙ୍କ ପକ୍ଷରେ ଉଚିତ୍ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ଶାସକ ଦଳର ନେତା ବିଜେପିକୁ ବ୍ୟାକଫୁଟକୁ ଟାଣୁଛନ୍ତି । କିନ୍ତୁ ନବୀନଙ୍କ ବିଦେଶ ଗସ୍ତକୁ ନେଇ ଏଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରଠୁ ମାତ୍ର ଥରେ ବିଦେଶ ଗସ୍ତରେ ଯାଇଥିଲେ ନବୀନ । ୨୦୧୨ ମେ’ ମାସରେ ଶେଷଥର ପାଇଁ ଲଣ୍ଡନରେ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ୍’ ଯୋଗୁ ନବୀନ ଗସ୍ତ ଅଧାରୁ ଫେରିଥିଲେ ଓଡ଼ିଶା । ଏବେ ଦୀର୍ଘ ୧୦ ବର୍ଷ ପରେ ପୁଣି ନବୀନ ବିଦେଶ ଗସ୍ତରେ ଯାଉଥିବା ବେଳେ ସମସ୍ତଙ୍କ ନଜର ରହିଛି ।

Comments are closed.