Latest Odisha News

BREAKING NEWS

ସାର କଳି: କିଏ କହୁଛି ସତ, କିଏ କରୁଛି ନାଟ ?

ଭୁବନେଶ୍ୱର: ଧାନ ବିଲରେ ସାର ପକାଇବାକୁ ସମୟ ଆସିଗଲାଣି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଆବଶ୍ୟକ ସାର ଯୋଗାଇ ଦେବାକୁ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ଚିଠି ଲେଖିଥିଲେ। ସଂଯୋଗବଶତଃ ଠିକ୍ ଏହି ସମୟରେ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ  ଭଗବନ୍ତ ଖୁବା । ନବୀନଙ୍କ ଚିଠି ଉପରେ ଜବାବ ଦେଇ ସେ କହିଥିଲେ, ଓଡିଶାକୁ କେନ୍ଦ୍ର ଆବଶ୍ୟକ ଅନୁଯାୟୀ ସାର ଯୋଗାଇ ଦେଉଛନ୍ତି।

ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି। ଓଡ଼ିଶାର ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଇ ଦିଆଯାଉଛି। କେନ୍ଦ୍ର ସାର ଓ ରସାୟନ ବିଭାଗର ୱେବସାଇଟରେ ରାଜ୍ୟ ମାନଙ୍କୁ ଦିଆ ଯାଉଥିବା ସାରର ସମସ୍ତ ତଥ୍ୟ ପ୍ରତ୍ୟେକ ଦିନ ଅପଡେଟ ହେଉଛି। ତେଣୁ ସେଠାରେ ପ୍ରତ୍ୟେକ ଲୋକ ଯାଇ ଚେକ୍ କରିପାରିବେ। ତେଣୁ ସାର ଅଭାବ ନେଇ ଓଡ଼ିଶା ସରକାରଙ୍କ ଅଫିସର କହୁଛନ୍ତି ସେ ଦିଗରେ ଯତ୍ନବାନ ହେବା ଦରକାର। ଏପରି ନକହି ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ଠିକ୍ ନୁହେଁ। ଓଡ଼ିଶା ସରକାର ଏନ୍ଓପି ୨୫ ହଜାର ମେଟ୍ରିକ୍ ଟନ୍ ସାର ମାଗିଥିଲେ କିନ୍ତୁ କେନ୍ଦ୍ର ଦେଇଛି ୪୫ ହଜାର ମେଟ୍ରିକ୍ ଟନ୍। ସେହିପରି ଏନପିକେ ୪୦ ହଜାର ମେଟ୍ରିକ୍ ଟନ୍ ଡିମାଣ୍ଡ ଥିବା ବେଳେ ୧ ଲକ୍ଷ ୩୭ ହଜାର ମେଟ୍ରିକ୍ ଦେଇଛନ୍ତି କେନ୍ଦ୍ର ସରକାର ବୋଲି ମନ୍ତ୍ରୀ କହିଛନ୍ତି।

ପରେ ଏହାକୁ ନେଇ ଉଭୟ ତିନି ଦଳ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ଅମର ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ଠିକ୍ ସମୟରେ ସାର ଯୋଗାଇ ଦେଉ ନାହାନ୍ତି। ତେଣୁ ରାଜ୍ୟରେ ସାର ସଙ୍କଟ ଦେଖାଯାଇଛି। ଜଣେ ମୁଖ୍ୟମନ୍ତ୍ରୀ ଯେଉଁ ଚିଠି ଲେଖିଛନ୍ତି ତାକୁ କେନ୍ଦ୍ରମନ୍ତ୍ରୀ ଅତି ହାଲୁକା ଭାବେ ନେଇ ପ୍ରତିକ୍ରିୟା ରଖିଛନ୍ତି। କେତେ କେତେ ସାର କେନ୍ଦ୍ର ଯୋଗାଇଛି ଏ ନେଇ ତଥ୍ୟ ରଖିବା ଦରକାର। କେବଳ ପର୍ଯ୍ୟାପ୍ତ ସାର ଅଛି ବୋଲି କହିଲେ ହେବନି ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି। ଓଡ଼ିଶା ଚାଷ ଉପରେ ନିର୍ଭରଶୀଳ। ତେଣୁ ସଠିକ ପରିଚାଳନା ଉପରେ ଗୁରୁତ୍ୱ ଦିଅନ୍ତି ସରକାର। ଯେଉଁଥିପାଇଁ ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଥାଏ ବୋଲି ସେ କହିଛନ୍ତି।

ତେବେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଭୟ ବିଜେଡି ଏବଂ ବିଜେପିକୁ ଏ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସାର ଅଭାବ ପ୍ରସଙ୍ଗ ବିଧାନସଭାରେ ଉଠିଛି। ରାଜ୍ୟର ଚାଷୀ ସାର ପାଉ ନଥିବା ସମୟରେ ଅନ୍ୟ ରାଜ୍ୟକୁ ସାର କଳା ବଜାରୀ ହେଉଛି। ମନ୍ତ୍ରୀ କେବଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଚୁପ ବସିଛନ୍ତି। ତେଣୁ ଚାଷୀଙ୍କୁ ରାଜ୍ୟରେ ସାର ମିଳୁନି। ଗାଁ ଗହଳିର ଅନେକ ଚାଷୀ ଏବେ ସାର ଅଭାବ ପାଇଁ ଜମିରେ ସାର ପକାଇ ପାରୁ ନାହାନ୍ତି। ଧାନ ରୁଆ ସଲାଣି ହେଲେ ସାରର ଦେଖା ନାହିଁ। ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ଏକ ଡ୍ରାମା। ବିଜେଡି ବିଜେପି କୋଳାକୋଳି ହୋଇଛନ୍ତି। ତେଣୁ ଆଜି ଚାଷୀ ହତାଶ। ଉଭୟ ମିଳିମିଶି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚାଷୀ ଉଭୟଙ୍କୁ କେବେ କ୍ଷମା କରିବେନି।

ସେପଟେ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଚିଠି ଉପରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଉତ୍ତର ରଖି ସାରିଛନ୍ତି । ରାଜ୍ୟର ଆବଶକତା ଅନୁସାରେ କେନ୍ଦ୍ର ସବୁବେଳେ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି। କେନ୍ଦ୍ର ସାର ଯୋଗାଇଦେବା ପରେ କିପରି ଚାଷୀଙ୍କ ପାଖରେ ସାର ପହଞ୍ଚିବ ତାହା ତଦାରଖ କରିବା କାମ ରାଜ୍ୟ ସରକାରଙ୍କର। ହେଲେ ପରିଚାଳନାରେ ତୃଟି ରହୁଛି ବୋଲି ସାର ମିଳୁନି। ଆଉ କଳାବଜାରୀ ବଢୁଛି । ନିଜ ମୁଣ୍ଡ ଉପରୁ ଦୋଷ ଖସାଇ ଦେବାକୁ କେନ୍ଦ୍ରକୁ ଦୋଷ ଦେବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର।

Comments are closed.