Latest Odisha News

ନୂଆଖାଇ ପାଇଁ ଛୁଟି ଦିନ ଅବଧି ବଢ଼ାଇବାକୁ ଜୋର ଧରିଲା ଦାବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସେପ୍ଟେମ୍ବର ୧ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ । ଏଥିପାଇଁ ରାଜ୍ୟ ସରକାର ଦିନିକିଆ ଛୁଟି ଘୋଷଣା କରିଛନ୍ତି ପଶ୍ଚିମ ଓଡ଼ିଶାରେ। ହେଲେ ଏବେ ଏହି ଛୁଟି ଦୁଇ ଦିନରୁ ତିନି ଦିନ କରିବାକୁ ଦାବି ହୋଇଛି। ଦିନେ ନୁହେଁ ତିନି ଦିନ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ଦିଆଯାଉଛି ଦାବିପତ୍ର।

ବରଗଡ଼ରୁ ବଲାଙ୍ଗୀର, ସମ୍ବଲପୁରରୁ ସୋନପୁର ସବୁଠି ନୂଆଖାଇ ଛୁଟି ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୋଟିଏ ଦିନ ଛୁଟିକୁ ଦୁଇ ତିନି ଦିନ କରିବାକୁ ଦାବି ହୋଇଛି।  ବାହାରେ ରହୁଥିବା ପରିବାର ସଦସ୍ୟ ଓ ବ୍ୟବସାୟୀମାନେ ସବୁବେଳେ ନିଜ ପରିବାର ସଦସ୍ୟଙ୍କ ସହ ଏହି ପର୍ବ ପାଳନ କରିବାକୁ ମନ ବଳାଇଥାନ୍ତି। ତେଣୁ ସେମାନେ ନିଜ ନିଜ ଘରକୁ ଫେରି ଆନନ୍ଦ ଉଲ୍ଲାସରେ ଭାଗ ନିଅନ୍ତି।

ଓଡ଼ିଶା ସରକାରୀ ଛୁଟି ତାଲିକାରେ ଯେମିତି କେବଳ ପର୍ବପର୍ବାଣୀର ଦିନଟିକୁ ଛୁଟି ଦିନ ଭାବେ ଉଲ୍ଲେଖ କରାଯାଇଛି, ଠିକ୍ ପରଦିନ ହିଁ ଲୋକମାନେ ନିଜ ନିଜ କାମରେ ଯୋଗଦେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନେ ଦାବି କରିଛନ୍ତି ଯେ, ଛୁଟି ସମୟ ଅତି କମରେ ଦୁଇ ତିନି ଦିନକୁ ବୃଦ୍ଧି କରାଯାଉ, ଯାହାଫଳରେ ଲୋକେ ଏହି ଉତ୍ସବର ମଜା ନେଇପାରିବେ।

ନିକଟରେ ବିରୋଧୀ ଦଳର ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂୂଆଖାଇ ପର୍ବ ପାଇଁ ଛୁଟି ଦିନ ଅବଧି ବଢାଇବାକୁ ଦାବି କରିଥିଲେ। ସେହିପରି ବରଗଡ ସାଂସଦ ସୁରେଶ ପୂଜାରୀ ମଧ୍ୟ ଟ୍ୱିଟ୍ କରି ଛୁଟି ଦିନର ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଜୟନାରାୟଣ ମିଶ୍ର ଲେଖିଥିବା ଚିଠିରେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଛୁଟି ଅବଧି ଦୁଇ ଦିନ ରହୁଥିଲା । କିନ୍ତୁ ଏବେର ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି । ଯାହା ସମଗ୍ର ପଶ୍ଚିମ ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଳମ୍ବ ନକରି ସରକାର ଦୁଇ ଦିନ ଛୁଟି ଘୋଷଣା କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଦୁଇ ଦିନ ଛୁଟି ଦାବିକୁ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିଚାର କରିବେ ବୋଲି ନରସିଂହ ମିଶ୍ର ଆଶା ରଖିଥିବା କହିଛନ୍ତି।

ସେହିପରି ବିଜେଡି ନେତା କଳିକେଶ ସିଂହଦେଓ ଛୁଟି ଅବଧି ଦୁଇ ଦିନ ପରିବର୍ତ୍ତେ ତିନି ଦିନ କରିବାକୁ ଦାବି କରିଛନ୍ତି। ଉଭୟ ଅଫିସ୍, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନକୁ ତିନି ଦିନ ଛୁଟି ଦେବାକୁ ଦାବି କରିଛନ୍ତି।

ସେହିପରି ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ ଶନିବାର କୋଶଳ ସେନାର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମାନ ଶୈଳୀରେ ସୋନପୁର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ନୂଆଖାଇ ପାଇଁ ଛୁଟି ଅବଧିକୁ ତିନି ଦିନ କରିବାକୁ ଦାବି କରିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲା ପାଇଁ ଆରଡିସି ଏହି ଗଣପର୍ବ ପାଇଁ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି।

Leave A Reply

Your email address will not be published.