Latest Odisha News

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ, ଆମ ଓଡିଶା ନବୀନ ଓଡିଶା ନାଁ ବିକଶିତ ଗାଁ ବିକଶିତ ଓଡିଶା ଏବଂ ମେକ୍ ଇନ୍ ଓଡିଶା ହୋଇଛି ଉତ୍କର୍ଷ ଉତ୍କଳ। ଯୋଜନାର ନାଁ ବଦଳକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢିଥିବା ବେଳେ ତେଜିଛି ରାଜ୍ୟ ରାଜନୀତି । ପ୍ରଶ୍ନ ଉଠୁଛି, ନାଁ ବଦଳିବା ପଛରେ କଣ ରହିଛି ବିଜେପି ସରକାରଙ୍କ ରଣନୀତି?

ନାଁ ବଦଳିଲା ଦ୍ବନ୍ଦ୍ବ ବଢିଲା

ଗୁରୁବାର ବିଜେପି ସରକାରର ପ୍ରଥମ ବଜେଟରେ ବଦଳିଛି ପୂର୍ବ ସରକାରର ବିଭିନ୍ନ ଯୋଜନାର ନାଁ। ନାମ ପରିବର୍ତ୍ତନ ସହ ଯୋଜନାରୁ ବର୍ଷ ବର୍ଷ ଧରି ଲାଭ ପାଉଥିବା ହିତାଧିକାରୀଙ୍କ ମନରେ ବି ଦ୍ବନ୍ଦ୍ବ ଦେଖାଦେଇଛି । ଯେମିତିକି ବିଏସକେଓ୍ବାଇର ନାଁ ବଦଳି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି । ତେବେ କାର୍ଡ ବଦଳିବ କି ? ନୂଆ ଯୋଜନାର ରୂପରେଖ ବଦଳିବ କି? କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେଲେ, ଉଭୟ ଯୋଜନା କିଭଳି ଚାଲିବ ? ଦୁଇ ଯୋଜନା ପାଇଁ ଭିନ୍ନ ଭିନ୍ନ ହିତାଧିକାରୀ ଚୟନ ହେବେ କି ? ଏଭଳି ଅନେକ ପ୍ରଶ୍ନ ହିତାଧିକାରୀଙ୍କ ମନରେ ଉଠୁଛି । ରାଜ୍ୟରେ ନୂଆକରି ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନା ନେଇ ବି ଦ୍ବନ୍ଦ୍ବ ରହିଛି। ସେହିପରି ଆମ ଓଡିଶା ନବୀନ ଓଡିଶା ହେଉ କି କାଳିଆ ଯୋଜନା, ନାଁ ପରିବର୍ତ୍ତନ ପରେ ଯୋଜନାରେ କେଉଁ ପରିବର୍ତ୍ତନ ଆସିବ, ତାକୁ ନେଇ ହିତାଧିକାରୀ ଦ୍ବନ୍ଦ୍ବରେ ରହିଛନ୍ତି ।

କାହିଁକି ବଦଳିଲା ନାଁ?

ପୂର୍ବ ବିଜେଡି ସରକାର ଅଧିକାଂଶ ଯୋଜନାରେ ବିଜୁବାବୁ କିମ୍ବା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାଁ ସ୍ଥାନ ଦେଇଥିଲା । ବିଏସକେଓ୍ବାଇ, ମୋ ସ୍କୁଲ ଭଳି କିଛି ଯୋଜନା ତ ବିଜେଡି ସରକାରର ପରିଚୟ ପାଲଟିଥିଲା। ତେଣୁ ଯୋଜନା ନାଁ ବଦଳାଇବା ସହ ବିଜେଡି ସରକାର ଯେ, କ୍ଷମତାରେ ନାହିଁ ସେନେଇ ସନ୍ଦେଶ ଦେଇଛି ବିଜେପି ସରକାର । ନୂଆ ନାଁ ସହ ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଚାହୁଁଛନ୍ତି ନୂଆ ସରକାର । ପୂର୍ବ ସରକାରର ବିଭିନ୍ନ ଯୋଜନାରେ ଦୁର୍ନୀତି ନେଇ ବାରମ୍ବାର ଟାର୍ଗେଟ୍ କରୁଥିଲା ବିଜେପି । ତେଣୁ ଯୋଜନା ନାଁ ବଦଳାଇ ନୂଆ ଧାରାରେ କାମ କରିବାକୁ ଉଦ୍ୟମ କରିବ ।

ବଢିଲା ନାଁ ବଦଳ ରାଜନୀତି

ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନକୁ ନେଇ ବଜେଟ୍ ପରେ କହିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସରକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ବିଜେଡି ବିଧାୟକମାନେ ବିଧାନସଭାରେ ଉଦବେଗ ବି ପ୍ରକାଶ କରିଛନ୍ତି । କଂଗ୍ରେସ ବି ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜୁବାବୁଙ୍କ ନାଁରେ ଥିବା ସବୁ ଯୋଜନାକୁ ବିଜେପି ସରକାର ଉଚ୍ଛେଦ କରିଥିବା ତାରାପ୍ରସାଦ ବାହିନୀପତି କହିଛନ୍ତି ।

ନୂଆ ନୁହେଁ ନାଁ ବଦଳ

ପୂର୍ବ ସରକାରଙ୍କ ସମୟର ଜନକଲ୍ୟାଣକାରୀ ଯୋଜନାର ନାଁ ପରିବର୍ତ୍ତନ ନୂଆ ନୁହେଁ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୟୁପିଏ ସରକାର ସମୟର ବିଭିନ୍ନ ଯୋଜନାର ନାଁ ବଦଳାଇଥିଲେ । ରାଜୀବ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା ବଦଳି ହୋଇଥିଲା ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା । ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ ଇଣ୍ଡିଆ ପରି ଧନିକ ଶ୍ରେଣୀ ପାଇଁ ଥିବା ମୋଦି ସରକାରଙ୍କ ଯୋଜନାକୁ ଇଂରାଜୀରେ ନାମକରଣ କରାଯାଉଥିବା ବେଳେ ଉଜ୍ଜ୍ବଳା ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ ପରି ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ହିନ୍ଦୀରେ ରଖାଯାଇଛି ।

Comments are closed.