Latest Odisha News

BREAKING NEWS

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି।

ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାହୁଲ ଗାନ୍ଧି। ଯଦି ରାହୁଲଙ୍କ ଦଣ୍ଡବିଧାନ ଉପରେ ରୋକ ଲାଗିବା ପାଇଁ ହୋଇଥିବା ଆବେଦନ ମଞ୍ଜୁର ହୁଏ ତେବେ ତାଙ୍କ ଲୋକସଭା ସଦସ୍ୟତା ଫେରିପାଇବା ନେଇ ବାଟ ଫିଟିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବିହାରରେ ରାହୁଲଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ପାଟନା ହାଇକୋର୍ଟରୁ ରାହୁଲ ଗାନ୍ଧିଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ରାହୁଲ ଆଇନଗତ ଲଢେଇ ଲଢ଼ୁଛନ୍ତି। କିନ୍ତୁ ଏସବୁ ଭିତରେ ରାହୁଲଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କିନ୍ତୁ ଯେବେଠୁ ଏ ପ୍ରସଙ୍ଗକୁ ନେଇ ରାହୁଲଙ୍କୁ ଦଣ୍ଡାଦେଶ ହେବା ସହ ସଦସ୍ୟ ପଦ ରଦ୍ଦ ହୋଇଛି ଓ ରାହୁଲଙ୍କୁ ସରକାରୀ ବଙ୍ଗଳାରୁ ବିଦା ହେବାକୁ ପଡିଛି ସେବେଠୁ ରାହୁଲଙ୍କୁ ରାଜନୈତିକ କ୍ଷେତ୍ରରେ ଲାଭ ମିଳିଥିବା ଆଲୋଚନା ହେଉଛି। ଏପରିକି ରାହୁଲଙ୍କ ବିରୋଧରେ ଯେତେ କାର୍ଯ୍ୟାନୁଷ୍ଠାନ ହେବ ତାଙ୍କୁ ସେତେ ଅଧିକ ରାଜନୈତିକ ମାଇଲେଜ ମିଳିବ ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଆଶା ରଖିଥିବା କୁହାଯାଉଛି।

ଆଗକୁ ବହୁ ରାଜ୍ୟର ନିର୍ବାଚନ ଓ ଦେଶର ସାଧାରଣ ନିର୍ବାଚନ ଥିବାରୁ ରାହୁଲଙ୍କ ସପକ୍ଷରେ ଯେତେ ହାୱା ସୃଷ୍ଟି ହେବ ଦଳକୁ ସେତେ ଲାଭ ହେବ ବୋଲି କୁହାଯାଉଛି। ଏହାକୁ ଆଖି ଆଗରେ ରଖି କଂଗ୍ରେସ ମାପିଚୁପି ରାହୁଲଙ୍କ ସମ୍ବନ୍ଧରେ ନିଷ୍ପତ୍ତି ନେଉଥିବା ଆଲୋଚନା ହେଉଛି।

ସେପଟେ କିନ୍ତୁ ଆଇନ ଅନୁଯାୟୀ ସବୁ ହେଉଥିବା ବିଜେପି ପକ୍ଷରୁ କୁହାଯାଉଛି। ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ ଓ ଯିଏ ଯେ କୌଣସି ଭୁଲ କରିବ ଆଇନ ଅନୁଯାୟୀ ଦଣ୍ଡିତ ହେବ ବୋଲି ବିଜେପି ପକ୍ଷରୁ ପୂର୍ବରୁ କୁହାଯାଇଛି।

Comments are closed.