Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି।

BjdElectrycity

ସେପଟେ ବିଜେପିର ବର୍ତ୍ତମାନର ଚର୍ଚ୍ଚିତ ଚେହେରା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାରକୁ ଓଲ୍ହାଇ ସେହି ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବର୍ଷିବା ସହ ଏହା ବେଆଇନ ବୋଲି କହିଛନ୍ତି। ଏଥିସହିତ ରାମ ମନ୍ଦିର କାର୍ଡ ମଧ୍ୟ ଖେଳିଛନ୍ତି ଯୋଗୀ।

୨୦୨୪ ସୁଦ୍ଧା ରାମ ମନ୍ଦିର ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏପରିକି ହନୁମାନ କର୍ଣ୍ଣାଟକରେ ଜନ୍ମ ହୋଇଥିବା କହିଛନ୍ତି ଆଦିତ୍ୟନାଥ। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି ।

ସେପଟେ କଂଗ୍ରେସ ପ୍ରଚାରରେ ୪୦ ପ୍ରତିଶତ କମିଶନ, କର୍ପୋରେଟଙ୍କ ପ୍ରତି ବିଜେପିର ଭଲପାଇବା ଆଦିକୁ ପ୍ରସଙ୍ଗ କରିଛି। ଯାହାକି କର୍ଣ୍ଣାଟକରେ ପ୍ରଚାର ରାଜନୀତିକୁ ସରଗରମ କରିଛି।

ବହୁ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକର ବିଭିନ୍ନ ଅଂଚଳରେ ଜୋରଦାର ପ୍ରଚାର କରୁଥିବା ବେଳେ ଏଥିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରି ପ୍ରିୟଙ୍କା ବିଜେପି ସରକାରର ୪୦ ପ୍ରତିଶତ କମିଶନ ପ୍ରସଙ୍ଗ ଉଠାଇଛନ୍ତି।

କର୍ଣ୍ଣାଟକରେ ଲୋକେ ଗରିବ ରୁହନ୍ତୁ ବୋଲି ବିଜେପି ଚାହୁଁଥିବା ପ୍ରଚାର ମାଧ୍ୟମରେ କହିଛନ୍ତି ପ୍ରିୟଙ୍କା। କର୍ଣ୍ଣାଟକର ଲୋକଙ୍କ ଠାରୁ ବିଜେପି ଲୁଟ କରି ଦେଶର ଧନୀ କର୍ପୋରେଟ ମାନଙ୍କୁ ପୋଷୁଥିବା କହିଛନ୍ତି ପ୍ରିୟଙ୍କା। କର୍ଣ୍ଣାଟକରେ ରାହୁଲଙ୍କ ପରେ ପ୍ରିୟଙ୍କା ଲଗାତର ପ୍ରଚାର ମାଧ୍ୟମରେ ବିଜେପି ଉପରେ ବର୍ଷୁଛନ୍ତି।

ରାହୁଲ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ସେପଟେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ବୟାନକୁ କଡା ଭାଷାରେ ନିନ୍ଦା କରିଛି କଂଗ୍ରେସ। ଏ ସବୁ ଭିତରେ କର୍ଣ୍ଣାଟକ ରାଜନୀତି ସରଗରମ ହେବାରେ ଲାଗିଛି।

କିନ୍ତୁ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର ବିଳମ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କେରଳଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ବେଳେ କର୍ଣ୍ଣାଟକ ଆସିବାରେ ବିଳମ୍ବ କରୁଥିବାରୁ ଚର୍ଚ୍ଚା ବଢିଛି।

କିନ୍ତୁ ମୋଦି ଖୁବ ଶୀଘ୍ର କର୍ଣ୍ଣାଟକରେ ବହୁ ରାଲି ଓ ରାଜନୈତିକ ସଭାରେ ଯୋଗ ଦେବେ ବୋଲି କୁହାଯାଉଛି। ମୋଦିଙ୍କ ରୋଡ଼ ସୋ ଓ ସଭା ପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ରାଜନୈତିକ ମହଲର ନଜର ରହିଛି।

Leave A Reply

Your email address will not be published.