ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ଆସିଲା ଆଶ୍ବସ୍ତି ଖବର । ବାଣିଜ୍ୟ ଓ ପରିବହନର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଟୋଲ୍ଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବ ନାହିଁ ପ୍ରଦୂଷଣ ଚାଲାଣ ।ଏ ସମ୍ୱନ୍ଧୀୟ ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରାଯାଇଛି । ଏଥିସହ ପରାମର୍ଶ ଦିଆଯାଇଛି ଯେ, ଏହି ଅବଧି ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର କରାଇ ନିଅନ୍ତୁ ।
ମନ୍ତ୍ରୀ କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ । ରାଜ୍ୟରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି ।