Latest Odisha News

ଆଳୁ ଦର ଆକାଶ ଛୁଆଁ, ମନ୍ତ୍ରୀ କହିଲେ ରାଜ୍ୟରେ ଅଛି ପର୍ଯ୍ୟାପ୍ତ ପରିମାଣର ଆଳୁ

ଭୁବନେଶ୍ବର: ଗତ କିଛି ଦିନ ହେବ ପନିପରିବାରେ ହାତ ମାରିହେଉନଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା । ହେଲେ ଗତ ଦୁଇ ଦିନ ହେବ ଆଳୁ ଦର ବି ଆକାଶ ଛୁଆଁ ହୋଇଛି । ଆଳୁ କିଲୋ ୫୦ ଟଙ୍କା ହୋଇଥିବା ବେଳେ ଏବେ ଚିନ୍ତାରେ ଖାଉଟି । ଯାହାକୁ ନେଇ ଆଜି ନିଜର ସ୍ପଷ୍ଟୀକରଣ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଏନେଇ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଇଗିଣିଆ ସ୍ଥିତ ଆଳୁ ଗୋଦାମରେ ସ୍ଥିତି ପରଖିଛନ୍ତି । ଏହାସହିତ ଆଳୁ ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଆଳୁ ରହିଛି । ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଏଭଳି ପରିସ୍ଥିତି ଦେଖାଦେଇଛି । ଯେତିକି ଆଳୁ ଅଛି ଆହୁରି ୭ରୁ ୮ ଦିନ ଚାଲିବ । ଏହାପରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ଯୋଜନା କରାଯାଉଛି ।

ସେପଟେ ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଯୋଗାଉଥିବା ବେଳେ ଏଥର ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କମ୍ ହୋଇଛି । ତେଣୁ  ପଶ୍ଚିମବଙ୍ଗ ପୋଲିସ  ଆଳୁ ବୋଝେଇ ଟ୍ରକକୁ ଅଟକ ରଖିଛି ।  ଫଳରେ ଓଡିଶାରେ ଆଳୁ କମିବାକୁ ଲାଗିଲାଣି । ଯାହାକୁ ନେଇ ଆଜି ମନ୍ତ୍ରୀ ବୈଠକ ଡକାଇ ସମସ୍ତ ବିସ୍ତୃତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।

Comments are closed.