Latest Odisha News

BREAKING NEWS

ଭୁବନେଶ୍ୱରରେ କୁକୁଡ଼ା ମାଂସ, ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ

ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି । କିନ୍ତୁ ଏଥିଲାଗି କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ଓଡ଼ିଶାର ଆନିମଲ ରିସୋର୍ସ ଡ଼େଭେଲପମେଣ୍ଟ୍ (ଏଆରଡ଼ି) ବିଭାଗ ସୋମବାର ଦିନ ସୂଚନା ପ୍ରଦାନ କରିଛି ।

ସରକାରଙ୍କ ପକ୍ଷରୁ ଓୟୁଏଟି କୁକୁଡ଼ା ଫାର୍ମ ଓ ତାହାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକକୁ ମାରି ପୋତି ଦିଆଯିବା ସାଙ୍ଗକୁ ଉପଲବ୍ଧ ଅଣ୍ଡା ଓ କୁକୁଡ଼ା ଖାଦ୍ୟକୁ ମଧ୍ୟ ନଷ୍ଟ କରି ପୋତି ଦିଆଯାଇଛି । ଓୟୁଏଟି କୁକୁଡ଼ା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି ।

ସେହିପରି ଭାବେ ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍ କରିଦିଆଯାଇଛି ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତରଫରୁ ୪ ଫେବୃଆରୀ ୨୦୨୦ ଦିନ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ । କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇଲେ କୌଣସି ଭୟ ରହିବ ନାହିଁ । ୭୦ ସେଲସିୟସ ତାପମାତ୍ରାରେ ୩୦ ମିନିଟ ପର୍ଯ୍ୟନ୍ତ ସିଝାଇଲେ ବାର୍ଡ଼ ଫ୍ଲୁ (ଏଚ୫ ଏନ୧) ଭୂତାଣୁ ନଷ୍ଟ ହୋଇଯାଏ ।

ଏତଦବ୍ୟତୀତ ୨୮ ଜାନୁଆରୀ ୨୦୨୦ରୁ ଏପର୍ଯ୍ୟନ୍ତ ଓୟୁଏଟି କୁକୁଡ଼ା ଫାର୍ମର ଏକରୁ ୧୦ କିଲୋମିଟର୍ ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡ଼ା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇନାହିଁ । ତେଣୁ ଲୋକମାନେ ଆଶଙ୍କାଗ୍ରସ୍ତ ନହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଜାରି ରଖିପାରିବେ ।

Leave A Reply

Your email address will not be published.