Latest Odisha News

BREAKING NEWS

ଚୀନଠୁ ତିନିଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ କଲା ରିଲାଏନ୍ସ

କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଲାଗି ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିଛି  । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ କମ୍ପାନୀର ସିଲଭାସାସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି । ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପ୍ରସ୍ତୁତ ହେଉଛି ଏହି ପିପିଇ କିଟ୍  । ଏଥିଲାଗି ୧୦ ହଜାରରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ।  ଏହାବାଦ୍ ଜାମ୍‌ନଗରସ୍ଥିତ ଦେଶର ସର୍ବବୃହତ୍ତ ରିଫାଇନାରୀରେ ପିପିଇ ପ୍ରସ୍ତୁତି ପାଇଁ ଆବଶ୍ୟକ କପଡ଼ା ତିଆରି ପାଇଁ ଦରକାରୀ ପେଟ୍ରୋକେମିକାଲ୍ସର ଉତ୍ପାଦନ କରାଯାଉଛି ।

ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡ଼ିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ । କେବଳ ପିପିଇ ନୁହେଁ କରୋନା ଟେଷ୍ଟିଂ କିଟ୍ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ କରିଛି । କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍ ସହିତ ମିଳିତ ଭାବରେ କମ୍ପାନି ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଆର୍‌ଟି-ଏଲଏଏମ୍‌ପି (RT-LAMP) ପର୍ଯ୍ୟବେସିତ କୋଭିଡ-୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ ଚୀନରୁ ଆସୁଥିବା ଟେଷ୍ଟିଂ କିଟ୍ ଠାରୁ ଅନେକ ଗୁଣ ଶସ୍ତା ଏବଂ ମାତ୍ର ୪୫ ରୁ ୬୦ ମିନିଟ୍ ମଧ୍ୟରେ କୋଭିଡ-୧୯ ଟେଷ୍ଟିଂର ସଠିକ୍ ଫଳାଫଳ ପ୍ରଦାନ କରୁଛି ।

ଆର୍‌ଟି-ଏଲଏଏମ୍‌ପି ଟେଷ୍ଟିଂ କିଟ୍‌ରେ ଏକ ଟ୍ୟୁବ୍ ବ୍ୟବହାର ହୋଇଥାଏ । ସେଥିପାଇଁ ଏହାକୁ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଉପଯୋଗ କରାଯାଇପାରିବ । ଏହି ଟେଷ୍ଟ କିଟ୍‌ରେ ସାଧାରଣ ଲ୍ୟାବ୍ ବ୍ୟବସ୍ଥା ଓ ସ୍ୱଳ୍ପ ଦକ୍ଷତାର ଆବଶ୍ୟକ ହେଉଥିବାରୁ ଏହାର ବ୍ୟବହାର ଟେଷ୍ଟିଂ ମୋବାଇଲ ଭ୍ୟାନ ବା କିଓସ୍କରେ ମଧ୍ୟ କରାଯାଇପାରିବ । ଆଗରୁ ଏହି ଟେଷ୍ଟିଂ ସ୍ୱାବ ଚୀନରୁ ଆମଦାନୀ ହେଉଥିଲା ଯାହାର ମୂଲ୍ୟ ଭାରତରେ ପ୍ରତି ଟେଷ୍ଟିଂ ସ୍ୱାବ ପିଛା ପ୍ରାୟ ୧୭ ଟଙ୍କା  ରହୁଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜନସନ୍ ଆଣ୍ଡ ଜନସନ୍ ମିଳିତ ସହଯୋଗରେ ବିକଶିତ ହୋଇଥିବା ନୂଆ ସ୍ୱଦେଶୀ ସ୍ୱାବ୍‌ର ମୂଲ୍ୟ ଚୀନଠାରୁ ୧୦ ଗୁଣ ଶସ୍ତା ଅର୍ଥାତ ସ୍ୱାବ ପ୍ରତି ଏକ ଟଙ୍କା ୭୦ ପଇସା ରହୁଛି ।

Comments are closed.