Latest Odisha News

କାଲିଠୁ ଯୁକ୍ତ ଦୁଇ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ବିଭାଗର ଇ-ମୂଲ୍ୟାୟନ

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ  । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ ପ୍ରକ୍ରିୟା  । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଫଲାଇନରେ ହେବ ଖାତାଦେଖା । ଦୁଇଟି ସିଫ୍ଟରେ ଖାତା ଦେଖିବେ ମୂଲ୍ୟାୟନକାରୀ  । ସକାଳ ୭ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଓ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଦ୍ୱିତୀୟ ସିଫ୍ଟରେ ଚାଲିବ ମୂଲ୍ୟାୟନ  । କାଲିଠୁ ଆରମ୍ଭ ହେବ ବିଜ୍ଞାନ ବିଭାଗର ଅନଲାଇନ ବା ଇ-ମୂଲ୍ୟାୟନ  । ପରେ ବାଣିଜ୍ୟ ବିଭାଗର ହେବ ମୂଲ୍ୟାୟନ  ।  ଆଉ ଦ୍ୱିତୀୟ ପର୍ଯ୍ୟାୟରେ ହେବ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ମୂଲ୍ୟାୟନ ପ୍ରକ୍ରିୟା  ।

ପ୍ରଥମ ପର୍ଯ୍ୟାୟ ଖାତାଦେଖା ଲାଗି ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି  । ଯେଉଁଥିରେ ୩୪ଟି ସରକାରୀ ଓ ୨ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  । ଉପଯୁକ୍ତ ଭିତ୍ତିଭୂମିଥିବା କେବଳ ବାଲେଶ୍ୱର ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ଘରୋଇ ଶିକ୍ଷାନୁଷ୍ଠାନକୁ ଇ ମୂଲ୍ୟାୟନ କେନ୍ଦ୍ର ପାଇଁ ବଛାଯାଇଛି  । ଅନ୍ୟପଟେ ପୂର୍ବ ନିର୍ଦ୍ଦେଶାନାମା ଅନୁସାରେ କରୋନା ଲାଗି ସଙ୍ଗରୋଧ କେନ୍ଦ୍ର ହୋଇଥିବା ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା ସହ ଭଲଭାବେ ସାନିଟାଇଜ୍ କରାଯାଇଛି  । ଯେଉଁଠି ସ୍ଥାନାନ୍ତର ସମ୍ଭବପର ହୋଇନାହିଁ, ସେଠାରେ ବ୍ୟାରିକେଡ୍ କରି ଉଭୟ ସଙ୍ଗରୋଧ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଅଲଗା କରାଯାଇଛି  । କୋଭିଡ-୧୯ ଗାଇଡଲାଇନ ଅନୁସାରେ ପ୍ରତିଦିନ ମୂଲ୍ୟାୟନ ପୂର୍ବରୁ କେନ୍ଦ୍ରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛି ପରିଷଦ  ।

Leave A Reply

Your email address will not be published.