Latest Odisha News

BREAKING NEWS

ପ୍ରସଙ୍ଗ ଏକାଥରେ ନିର୍ବାଚନ !

ପ୍ରସଙ୍ଗ ଏକାଥରେ ନିର୍ବାଚନ !

ନୂଆଦିଲ୍ଲୀ: ପୁଣି ଉଠିଛି ଏ ପ୍ରସଙ୍ଗ । ବାଜପେୟୀଙ୍କ ବିୟୋଗ ପରେ ଅଗଷ୍ଟ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ- ମନକୀ ବାତ୍ ରେ ଏକାଥରେ ନିର୍ବାଚନ ପ୍ରସଙ୍ଗ ଉଠାଇ ଥିଲେ । ମୋଦୀ କହିଥିଲେ- ଏକାଥରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକର ନିର୍ବାଚନ କରାଇ ନେବା ବାଜପେୟୀଙ୍କ ପରି ରାଷ୍ଟ୍ରପୁରୁଷଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ।

ଅଚାନକ ପ୍ରଧାନମନ୍ତ୍ରୀ ପୁଣି ଥରେ କ’ଣ ପାଇଁ ଏକାଥରେ ନିର୍ବାଚନ କଥା ଉଠେଇଲେ ତାକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା । ଯଦିଓ କିଛି ଦଳ ଏକାକୁ ସମର୍ଥନ କରୁଛନ୍ତି, ଅନେକ ଏହାକୁ ବିରୋଧ ବି କରୁଛନ୍ତି । ଅକାଳୀ ଦଳ, ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍), ଏଆଇଏଡିଏମ୍କେ ଆଦି ଏହାକୁ ସମର୍ଥନ କରୁଛନ୍ତି । କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଜେଡ଼ିଏସ୍, ବାମ ଦଳ ଗୁଡ଼ିକ ଏହାକୁ ତୀବ୍ର ବିରୋଧ କରୁଛନ୍ତି ।

ପୂର୍ବରୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ୍ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି କହିଥିଲେ । ଏକାଥରେ ନିର୍ବାଚନ ପାଇଁ ‘କୋଇ ଚାନ୍ସ ନେହିଁ’ (ଯୋଜନା ହିଁ ନାହିଁ) ବୋଲି ରାୱତ୍ ପ୍ରକାଶ କରିଥିଲେ ।

ଯଦି ୨୦୧୯ହରେ ଲୋକସଭା ସହିତ ବିଧାନସଭା ଗୁଡ଼ିକର ନିର୍ବାଚନ ହୁଏ, ତେବେ ୨୧ ଲକ୍ଷ ଅଧିକ ଇଭିଏମ୍ର ଆବଶ୍ୟକତା ରହିଛି । ଏହାଛଡ଼ା ସେହି ଅନୁସାରେ ଭିଭିପାଟ୍ ମେସିନ୍ ମଧ୍ୟ କିଣାଯିବ । ଏଥିପାଇଁ ୪୫୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ପୁଣି ଏ ସଂପର୍କିତ ଆଇନ ବି ବଦଳାଯିବା ଦରକାର । ସେଥିପାଇଁ ବର୍ଷେ ସମୟ ଦରକାର ବୋଲି କମିଶନ କହିଥିଲେ ।

ତେବେ କମିଶନ କହିଲା ପରେ ମଧ୍ୟ ପ୍ରଧାନମନ୍ତ୍ରୀ କଣ ପାଇଁ ଏକାଥରେ ନିର୍ବାଚନ କଥା କହୁଛନ୍ତି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କଲା । ବିଶେଷ କରି ବାଜପେୟୀଙ୍କ ବିୟୋଗ ପରେ କାହିଁକି ଏକଥା ଉଠିଲା, ତାକୁ ନେଇ ଛିଡ଼ା ହୋଇଛି ବିରାଟ ପ୍ରଶ୍ନବାଚୀ ।

ଆସନ୍ତା ବର୍ଷରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ସମେତ ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିଆଣା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ନିର୍ବାଚନ ୨୦୧୯ରେ ଅନୁଷ୍ଠିତ ହେବ । ତେଣୁ ସେଇସବୁ ରାଜ୍ୟ ସହ ଏକାଥରେ ନିର୍ବାଚନ କରେଇ ନେବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ରାଜସ୍ଥାନ, ମଧ୍ୟପ୍ରଦେଶରେ ରାଜ୍ୟ ସରକାର ବିରୋଧରେ ଜନ ଅସନ୍ତୋଷ ଦେଖା ଦେଇଛି । ସେଠାରେ ବିଜେପି ସରକାର ରହିଛି । ତେଣୁ ବାଜପେୟୀଙ୍କ ସହାନୁଭୂତିକୁ ଆଧାର କରି ଦେଖାଇ ବିଜେପି ସେଠାରେ ନିଜର ଶାସନ ଜାରି ରଖିବାକୁ ଚାହୁଁଛି । ସାରା ଦେଶରେ ସେଇ ଧାରା ଅନୁସାରେ ବିଜେପି ନିଜର କ୍ଷମତା ବଳବତ୍ତର ରଖିବାକୁ ଚାହୁଁଛି ।

ଏହାଛଡ଼ା ବିରୋଧୀ ଦଳ ଗୁଡ଼ିକ ମିଶି ମେଣ୍ଟ କରିବାକୁ ଯୋଜନା କରୁଛନ୍ତି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କାରଣରୁ ବିଜେପି ସେଠାରେ ଉପ-ନିର୍ବାଚନ ହାରିଲା । ବିହାରରେ ବି ଲାଲୁ ଯାଦବ ଓ ଅନ୍ୟାନ୍ୟ ଦଳଙ୍କ ମେଣ୍ଟ କାରଣରୁ ବିଜେପି ହାରିଲା ।

ସେଆଡ଼େ ମମତା ବାନାର୍ଜୀ, କୁମାରସ୍ୱାମୀ, ଅରବିନ୍ଦ କେଜ୍ରିୱାଲ, ଚନ୍ଦ୍ରଶେଖର ରାଓ, ଚନ୍ଦ୍ରବାବୁ ନାଇଡ଼ୁ ହାତ ମିଳେଇବାକୁ ଆରମ୍ଭ କଲେଣି । ତେଣୁ ବିରୋଧୀଙ୍କୁ ମହାମେଣ୍ଟ କରିବା ପାଇଁ ସୁଯୋଗ ନ ଦେବା ନିମନ୍ତେ ବିଜେପି ଏପରି କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିରୋଧୀ ଏକାଠି ହେବା ପାଇଁ ସମୟ ଲାଗିବ ନିଶ୍ଚିତ । କାରଣ- ସେମାନଙ୍କ ମଧ୍ୟରେ ମତାନ୍ତର ଅନେକ ଓ ସମସ୍ତେ ଆଗ କ୍ଷମତା ଚାହାଁନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ ଲୋକେ ବିଜେପିକୁ ବିପୁଳ ମତ ଦେଇଥିଲେ । ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୮୨ଟି ଆସନ ଏକା ଜିତିଥିଲା । ୨୦୧୪ ନିର୍ବାଚନ ପରେ ଦେଶର ୨୯ଟି ରାଜ୍ୟ ମଧ୍ୟରୁ ୧୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଲୋକସଭା ଓ ବିଧାନସଭା ଆସନ ସବୁଦିନେ ଆନୁପାତିକ । ଉଦାହାରଣ ପାଇଁ- ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ । ୧୪୭ଟି ବିଧାନସଭା ଆସନ । ଫଳରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ ଲୋକସଭା ଆସନ ଗଠିତ ହୋଇଛି । ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ୫ଟି ବିଧାନସଭା ଆସନରେ ଗୋଟିଏ ଲୋକସଭା ଆସନ ।

ତେବେ ଯେଉଁସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି, ସେବୁ ରାଜ୍ୟକୁ ଲକ୍ଷ୍ୟ କଲେ ନୂଆ ଏକ ସମୀକରଣ ସାମ୍ନାକୁ ଆସୁଛି । ଏହିସବୁ ରାଜ୍ୟରେ ବିଜେପି ୧୯୧ଟି ଲୋକସଭା ଆସନ ଜିତିଥିଲା । କିନ୍ତୁ ବିଧାନସଭା ଫଳାଫଳ ଅନୁସାରେ ଯଦି ଲୋକସଭାର ଗଣତି କରିବା ତେବେ ବିଜେପି ଆସନ ସଂଖ୍ୟା ୧୪୬କୁ ଖସି ଆସୁଛି । ଅର୍ଥାତ୍ ୪୫ଟି ଲୋକସଭା ଆସନ ବିଜେପି ହାତରୁ ଚାଲି ଯାଉଛି । ଫଳରେ ବିଜେପି ଆସନ ସଂଖ୍ୟା ୨୩୭କୁ କମୁଛି । ଏହା ଆହୁରି ବି କମିପାରେ । ତେଣୁ ତାକୁ ରୋକିବା ନିମନ୍ତେ ଓ ୨୨୫-୨୩୫ ମଧ୍ୟରେ ଆସନ ପାଇବାକୁ ହେଲେ ବିଜେପିକୁ ସଅଳ ଓ ଏକାଥରେ ନିର୍ବାଚନକୁ ଯିବାକୁ ହିଁ ପଡ଼ିବ ।

ଆଉ ଗୋଟେ ପରିସଂଖ୍ୟାନକୁ ଯିବା । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏହି ୧୫ଟି ରାଜ୍ୟରେ ୧୧୭୧ଟି ବିଧାନସଭା ଆସନରେ ଆଗୁଆ ରହିଥିଲା । କିନ୍ତୁ ସେହିସବୁ ରାଜ୍ୟରେ ବିଧାନସଭା ଫଳ ଆସିବା ପରେ ବିଜେପି ୮୫୪ଟି ଆସନ ଜିତିଛି । ଯାହା ଏକ ତୃତୀୟାଂଶ । ପୁଣି ଏହିସବୁ ରାଜ୍ୟରେ ବିଜେପିର ଭୋଟହାର ୩୯ ପ୍ରତିଶତରୁ ୨୯ ପ୍ରତିଶତକୁ କମି ଆସିଛି ।

କିଛି ଦିନ ପରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହି ରାଜ୍ୟରେ ଏବେ ବିଜେପି ଶାସନ ଅଛି । କିନ୍ତୁ ସରକାରୀ ଦଳର ସ୍ଥିତି ଭଲ ନାହିଁ । ଏକ ସର୍ଭେ ଅନୁସାରେ, ଯଦି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଥରେ ଅନୁଷ୍ଠିତ ହୁଏ, ତେବେ ୭୭ ପ୍ରତିଶତ ଲୋକ ଗୋଟିଏ ଦଳକୁ ହିଁ ଭୋଟ ଦିଅନ୍ତି । ଯାହାର ଫାଇଦା ନେବାକୁ ବିଜେପି ନିଶ୍ଚୟ ଚେଷ୍ଟା କରିବ ।

Leave A Reply

Your email address will not be published.