Latest Odisha News

BREAKING NEWS

ମହାକୁମ୍ଭରେ ଅନନ୍ୟ ଦୃଶ୍ୟ, ବାବାଙ୍କ ପିଠିରେ ଆଖି ପରୀକ୍ଷା..

ପ୍ରୟାଗରାଜ: ୧୪୪ ବର୍ଷ ପରେ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ସେଠି ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ । ଦେଶର କୋଣ କୋଣରେ ରହୁଥିବା ଏହି ନାଗା ବାବାମାନେ କେବଳ କୁମ୍ଭମେଳାରେ ପ୍ରୟାଗରାଜ ଆସନ୍ତି । ସେମାନଙ୍କ ଗୁଣ, ଗାରିମା ଏବଂ ସାଧନା ବିଷୟରେ ଜାଣିବା ପାଇଁ ଉତ୍ସୁକତା ଦେଖାଇଥାନ୍ତି ଦେଶବାସୀ । ବେଶ ପୋଷାକ ଠାରୁ ଆରମ୍ଭ କରି ଶାରୀରିକ ଗଠନ ପର୍ଯ୍ୟନ୍ତ, ଏମାନଙ୍କର ପ୍ରତିଟି କାର୍ଯ୍ୟ ଚର୍ଚ୍ଚାରେ ରହିଥାଏ ।

ଆଉ ଏବେ ତାର ଫାଇଦା ଉଠାଇଛନ୍ତି ଜଣେ ଡାକ୍ତର । ମହାକୁମ୍ଭ ମେଳାରେ ଭକ୍ତଙ୍କ ଦୃଷ୍ଟି ସମସ୍ୟା ଚିହ୍ନଟ ଏବଂ ଏହାକୁ ପରୀକ୍ଷା କରିବା ପାଇଁ ନାଗା ସାଧୁଙ୍କ ସହାୟତାରେ ମୁମ୍ବାଇର ଚକ୍ଷୁ ବିଶେଷଜ୍ଞ ଡକ୍ଟର ନିଶାନ୍ତ କୁମାର ଆପଣାଇଛନ୍ତି ନିଆରା ପଦ୍ଧତି । ନାଗା ସାଧୁଙ୍କ ପ୍ରତି ଲୋକଙ୍କର ଅପାର ବିଶ୍ୱାସ ଦେଖି, ମହାକୁମ୍ଭରେ ଯାଉଥିବା ଲୋକଙ୍କ ଦୃଷ୍ଟି ଦୋଷ ଜାଣିବା ପାଇଁ ସେମାନଙ୍କର ସାହାଯ୍ୟ ନେଉଛନ୍ତି ।
ମହାକୁମ୍ଭରେ ଏକ ମାଗଣା ଆଇ ଚେକ ଅପ୍ କ୍ୟାମ୍ପ ପକାଇଛନ୍ତି ଡକ୍ଟର ନିଶାନ୍ତ। ପାଉଁଶ ମଖା ନାଗା ସାଧୁଙ୍କ ପିଠିରେ ହିନ୍ଦୀ, ଇଂରାଜୀ ଅକ୍ଷର ଏବଂ ଗାଣିତିକ ସଂଖ୍ୟାଗୁଡିକୁ ଲେଖିଛନ୍ତି । ଏଠାକୁ ଆସୁଥିବା ଭକ୍ତମାନେ, ସାଧୁଙ୍କ ପିଠିରେ ଥିବା ଅକ୍ଷରକୁ ପଢୁଛନ୍ତି, ଯେଉଁ ଆକାରର ଅକ୍ଷର ପଢିବାରେ ଅସୁବିଧା ହେଉଛି, ସେହି ଅନୁଯାୟୀ, ସେମାନଙ୍କୁ ଚଷମା ପ୍ରଦାନ କରୁଚନ୍ତି ନିଶାନ୍ତ, ତାହା ବି ମାଗଣାରେ ।
ଡକ୍ଟର ନିଶାନ୍ତ କହିଛନ୍ତି, ଦେଶରେ ୬୦ ପ୍ରତିଶତ ଲୋକ ଆଖି ସମସ୍ୟା ଥାଇ ବି ବିନା ଚଷମାରେ ଦୁନିଆ ଦେଖୁଛନ୍ତି । ସେଥିପାଇଁ ଆରାଇଲ ଘାଟ ଶିବିରରେ, ନାଗା ସାଧୁଙ୍କ ପିଠିରେ ଥିବା ପାଉଁଶରେ ହିନ୍ଦୀର ବଡ଼, ଛୋଟ ଅକ୍ଷର ଲେଖି ଲୋକଙ୍କ ଦୃଷ୍ଟି ସମସ୍ୟା ଜାଣିବା ପାଇଁ ଉଦ୍ୟମ କରୁଛନ୍ତି ।

ଗତ ୧୦ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଶିବିରରେ ଏଯାବତ ୧୮,୦୦୦ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇସାରିଛି । ୧୫,୦୦୦ ଚଷମା ମାଗଣାରେ ବଣ୍ଟଯାଇଛି । ଏଥିସହିତ ଯେଉଁମାନେ ମୋତିଆବିନ୍ଦୁରେ ପୀଡିତ, ସେମାନଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯାଉଛି, ଯାହା ଦ୍ଵାରା ସେମାନେ ନିଜ ସହରରେ ଅସ୍ତ୍ରୋପଚାର କରାଇପାରିବେ । ସେପଟେ ନିଶାନ୍ତଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନାଗାସାଧୁ । ଧାର୍ମିକ ମାନ୍ୟତା ଅନୁସାରେ, ଶାରୀରିକ ଏବଂ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ପରସ୍ପର ସହ ଜଡିତ । ଏଭଳି ଅସଂଖ୍ୟ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ କରିବା ଭଲ କାମ ବୋଲି ନାଗା ସାଧୁ କହିଛନ୍ତି ।

Comments are closed.