Latest Odisha News

BREAKING NEWS

ଦିବଂଗତ ବିଧାୟକଙ୍କ ଏକାଦଶାହ ପୂର୍ବରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଏହି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ଏପରି ପ୍ରସ୍ତୁତିକୁ ସମାଲୋଚନା କରିଛି। ସରକାର ସାମନ୍ୟତମ ସୌଜନ୍ୟତା ରଖିବା ଦରକାର ବୋଲି ବିଜେପି କହିଛି। ସେପଟେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଅନ୍ତିମ ଉପ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତ ରାଜନୈତିକ ଦଳ ଦମ୍ ଦେଖାଇବାକୁ ପ୍ରୟାସ କରିବେ।

ମିଳିଥିବା ସୂଚନା ଅନୁଯାୟୀ,ଧାମନଗର ଉପନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୩୦ ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଦଳୀୟ ସମାବେଶରେ ସେ ଯୋଗଦେବେ। ନଡ୍ଡାଙ୍କ ସହ ଏହି ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି. ଏଲ୍. ସନ୍ତୋଷ ଏବଂ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଯୋଗଦେବେ। ସେହିପରି ଦିବଂଗତ ବିଧାୟକଙ୍କ ପରିବାରକୁ ବିଜେପିର ଏହି ହେବିଓ୍ୱେଟ ନେତା ଭେଟିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ପକ୍ଷରୁ ତିନି ପୂର୍ବତନ ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ନେଇ ଏକ ତିନି ଜଣିଆ ଟିମ୍ ଗଠନ ହୋଇଛି। ଏହି ତିନିଜଣ ଧାମନଗର ଗସ୍ତ କରି ଧାମନଗର ଉପ-ନିର୍ବାଚନ ପାଇଁ ଏକ ସମୀକ୍ଷା କରିବେ। ଏହାପରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଏକ ରିପୋର୍ଟ ଦେବେ।

ସେହିପରି ବିଜେଡି ମଧ୍ୟ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ଏବଂ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାକୁ ଦେଖି ବିଜୟୀ ପାଇଁ ଦମ୍ ଲଗାଇବାକୁ ପ୍ରସ୍ତୁତି ଚଳାଇଛି। ୨୦୧୯ରେ ବିଷ୍ଣୁ ସେଠୀ ବିଜେଡିର ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୪,୬୨୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଭଦ୍ରକରେ ଧାମନଗରକୁ ଛାଡି ଦେଲେ ଆଉ ସମସ୍ତ ଆସନରେ ବିଜେଡି ଜିତିଥିଲା।

ବିଜେଡ଼ି ବିଧାୟକ ରାଜକିଶୋର ଦାସ କହିଛନ୍ତି, ବିଜେଡି ଲଢେଇ କରି ଜିତିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅନ୍ୟ ଦଳର ବିଜୟ ସମ୍ଭାବନାକୁ ଧୂଳିସାତ୍ କରିଦେବ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଦେବା ପରେ କଂଗ୍ରେସ ପଞ୍ଚାୟତକୁ ପଞ୍ଚାୟତ ବୁଲି ପ୍ରଚାର କରିବାକୁ କୁହାଯାଇଛି। ଆଉ କଂଗ୍ରେସ ବିଜୟୀ ହେବ ବୋଲି ସୁର ରାଉତରାୟ କହିଛନ୍ତି।

ତେବେ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଛଅ ମାସ ମଧ୍ୟରେ ଉପନିର୍ବାଚନ ହେବ। ଯେଉଁ ସମୟରେ ବିଷ୍ଣୁ ସେଠୀଙ୍କ ଏକାଦଶାହ ଶେଷ ହୋଇନି ସେହି ସମୟରେ ରାଜ୍ୟ ସରକାର ନିର୍ବାଚନ ପାଇଁ ତରବରିଆ ହେବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଲଜ୍ଜାଜନକ।

Leave A Reply

Your email address will not be published.