Latest Odisha News

BREAKING NEWS

ଚାଲିଛି ଝୁଲଣ ଯାତ ପ୍ରସ୍ତୁତି, ବିଜେ ହେବେ ଶ୍ରୀ ରାଧା କୃଷ୍ଣ…

ପୁରୀ: ଶ୍ରାବଣ ମାସ ଶୁକ୍ଳ ଦଶମୀ ତିଥି ଠାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠ ବାଡି ତଥା ପୁର ପଲ୍ଲୀରେ ଆରମ୍ଭ ହେବ ବର୍ଷାକାଳୀନ ରାସ ତଥା ପବିତ୍ର ଝୁଲଣ ଯାତ୍ରା । ଝୁଲଣଯାତ୍ରା ପାଇଁ ସମସ୍ତ ମଠ ବାଡ଼ି ଓ ମନ୍ଦିରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୭ ଦିନ ବ୍ୟାପି ଚାଲିବ ଏହି ଯାତ୍ରା । ଝୁଲଣ କୁଞ୍ଜରେ ଝୁଲିବେ ଶ୍ରୀ ଲଷ୍ମୀ, ସରସ୍ୱତୀ ଓ ମଦନ ମୋହନ । ଶ୍ରୀକ୍ଷେତ୍ରରେ ବିଭିନ୍ନ ମଠ ବାଡ଼ିରେ ମଧ୍ୟ ଝୁଲଣ ଯାତ ଅନୁଷ୍ଠିତ ହେବ ।

ଝୁଲଣ କୁଞ୍ଜରେ ବିଜେ ହେବେ ଶ୍ରୀ ରାଧା କୃଷ୍ଣ । ଝୁଲଣ ଯାତ ପାଇଁ ଶ୍ରୀମନ୍ଦିର ଠାରୁ ମଠ ବାଡି ଗୁଡିକ ବେଶ ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକରେ ବତ୍ତମାନ ଝୁଲଣ କୁଞ୍ଜ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଝୁଲଣ ଯାତ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ତିନି ବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ ହେବ ।

ମହାଜନ ମାନେ ସିଂହାସନରୁ ଶ୍ରୀଦେବୀ ଭୂଦେବୀଙ୍କୁ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ଖଟ ଶେଯରେ ବିଜେ କରାଇବେ । ପୂଜାପଣ୍ଡା ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ କରିବେ । ତିନିବାଡରେ ଆଳତି ହେବ । ଏହାପରେ ତିନି ମୂର୍ତ୍ତି ଝୁଲଣ ମଣ୍ଡପ ଦୋଳିକୁ ଅଣାଯିବ । ବିଡିଆ ପାନ ମଣହି କରାଯିବ । ମନ୍ଦିରରେ ସନ୍ଧ୍ୟା ଧୂପ ସରିଲେ ଝୁଲଣ ମଣ୍ଡପ ଠାରେ ପଞ୍ଚ ଉପଚାରରେ ପୂଜା ହେବ । ମନ୍ଦିର ଭିତରେ ଚନ୍ଦନ ଲାଗି ସରିବା ପରେ ଝୁଲଣ କୁଞ୍ଜରେ ବିରାଜିତ ମଦନ ମୋହନକୁ ଦକ୍ଷିଣଘର ଓ ଦୁଇ ଠାକୁରାଣୀକୁ ଗର୍ଭ ଗୃହକୁ ବିଜେ କରାଇବେ । ତେଣୁ ଝୁଲଣ ଯାତ୍ରାକୁ ଆଖି ଯାତ୍ରାକୁ ଦୃଷ୍ଟିରେ ରଖି ମୁକ୍ତି ମଣ୍ଡପ ଉପରେ ଓ ସମ୍ମୁଖ ପାର୍ଶ୍ୱରେ ସାଜସଜ୍ଜା ଚାଲିଛି ।

ସେହିଭଳି ଶ୍ରୀକ୍ଷେତ୍ରର ମଠ ବାଡ଼ିରେ ମଧ୍ୟ ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜଗନ୍ନାଥ ବଳଭ ମଠ, ରାଧା ଭଲବ ମଠ,ସିଦ୍ଧବକୁଳ ମଠ, ଶ୍ୟାମକୁଞ୍ଜ ମଠରେ ସମସ୍ତ ପ୍ରକାର ସାଜ ସଜା ସହ ଝୁଲଣ କୁଞ୍ଜ ପ୍ରସ୍ତୁତ ହେଉଛି । କୁଞ୍ଜରେ ଶୁଆ, ସାରି, ବଣି, ପାରା, ଗୁଣ୍ଡୁଚି ମୂଷା, ମାଙ୍କଡ଼ ଆଦି ମୂର୍ତ୍ତି ଖଞ୍ଜା ଯାଇଛି । ଝୁଲଣରେ ସୋଲ ଓ ଜରି ସାଜ ମଧ୍ୟ ଲାଗିଛି । ପୁରୀରେ ୪୦ରୁ ଊର୍ଦ୍ଧ୍ୱ ମଠ ବାଡ଼ିରେ ଝୁଲଣ ଯାତ୍ରା ପାଳିତ ହେବ ।

ସୂଚନାଯୋଗ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ ସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ଝୁଲଣ ଯାତ୍ରା ମାଧ୍ୟମରେ ପରିପ୍ରକାଶ କରାଯାଇଥାଏ । ଝୁଲଣ ଯାତ ଦଶମୀ ତିଥିରୁ ପୂଣ୍ଣିର୍ମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।

Comments are closed.