Latest Odisha News

ସୁଦାନ ସଙ୍କଟ ! ଭାରତୀୟଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୂଟନୀତିଜ୍ଞଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବାୟୁସେନା ଏବଂ ନୌସେନା ମୁଖ୍ୟ, ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜୟଶଙ୍କର ବର୍ତ୍ତମାନ ଗାଏନା ଗସ୍ତରେ ଥିବାରୁ ଭର୍ଚୁଆଲ ମୋଡରେ, ସେ ଏହି ବୈଠକରେ ସାମିଲ ହୋଇଥିଲେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସୁଦାନ ସ୍ଥିତି ଉପରେ ନଜର ରଖିବା ସହ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁଦାନରେ ଫସିଥିବା ଭାରତୀୟଙ୍କ ସ୍ଥାନାନ୍ତର ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ କହିଥିବା କହିଛି ପିଏମଓ । ସେପଟେ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବା ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା, ବ୍ରିଟେନ, ୟୁଏଇ ଏବଂ ସୌଦି ଆରବ ସହ କଥାହୋଇ ସମନ୍ବୟ ଆରମ୍ଭ କରିଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁଦାନରେ ସେନା ଓ ର଼୍ୟାପିଡ ସପୋର୍ଟ ଫୋର୍ସଙ୍କ ମଧ୍ୟରେ ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁଁ ଏଯାବତ୍ ଜଣେ ଭାରତୀୟଙ୍କ ସହ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସୁଦାନରେ ପ୍ରାୟ ୩୦୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି। ରାଜଧାନୀ ଖାର୍ତୁମରେ ସଂଘର୍ଷ ଯୋଗୁଁ ସେମାନଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି । ସେପଟେ ଯୁଦ୍ଧ ସ୍ଥିତିକୁ ନେଇ ମିଳିତ ଜାତିସଂଘ ପ୍ରଧାନ ସଚିବ ଆଣ୍ଟୋନିଓ ଗୁଟରେସ  ଆଫ୍ରିକାନ ୟୁନିୟନ, ଦି ଅରବ ଲିଗ୍, ଏବଂ ଅନ୍ତଃ ସରକାରୀ ପ୍ରାଧିକରଣର ଆଞ୍ଚଳିକ ସଂସ୍ଥାମାନଙ୍କ ସହ ଆଲୋଚନା କରିଛନ୍ତି।

Leave A Reply

Your email address will not be published.