Latest Odisha News

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ ଟ୍ୱିଟରର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ବ୍ଲୁ ଟିକ୍ ହଟାଇବା ମସ୍କଙ୍କୁ ଭାରି ପଡ଼ିଛି ।

ବ୍ଲୁମବର୍ଗ ବିଲିୟନାରୀ ଇଣ୍ଡେକ୍ସ ଅନୁସାରେ, ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତି ୧୨.୬ ବିଲିୟନ୍ ହ୍ରାସ ପାଇଛି । ଯାହାକି ଚଳିତ ବର୍ଷ ମସ୍କଙ୍କ ସମ୍ପତ୍ତିରେ ସବୁଠୁ ବଡ଼ ହ୍ରାସ । ମସ୍କଙ୍କ ଟେସଲା ପ୍ରଥମ ତ୍ରୈମାସିକରେ ନିବେଶକଙ୍କୁ ନିରାଶ କରିଥିବା ବେଳେ ସ୍ପେସଏକ୍ସର ଷ୍ଟାରସିପ୍ ଲଞ୍ଚ ହେବାର ମାତ୍ର ୪ ମିନିଟରେ ମେକ୍ସିକୋ ସମୁଦ୍ର ତଟରେ ଫାଟି ଯାଇଥିଲା ।

ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଗତବର୍ଷ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ କିଣିଥିଲେ । ଟ୍ୱିଟରକୁ କିଣିବା ସହ ଅନେକ ସପ୍ତାହ ପୂର୍ବରୁ ମସ୍କ ବ୍ଲୁ ଟିକ୍ ପାଇଁ ବ୍ୟବହାରକାରୀଙ୍କୁ ୮ ଡଲାର ମାସିକ ଦେବାକୁ ପଡ଼ିବ ବୋଲି କହିଥିଲେ । ଆଉ ଯେଉଁ ବ୍ୟବହାରକାରୀ ଦେୟ ଦେଇ ନଥିଲେ ସେମାନଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ଏପ୍ରିଲ୍ ୨୦ରୁ ହଟାଇବା ଆରମ୍ଭ ହୋଇ ଯାଇଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଫ୍ରାନ୍ସର ଶିଳ୍ପପତି ବର୍ଣ୍ଣାର୍ଡ ଅର୍ନାଲ୍ଟଙ୍କ ପରେ ମସ୍କ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଧନୀ । ଚଳିତବର୍ଷ ଟେସଲା ୩୨ ପ୍ରତିଶତ ଲାଭ କରିଥିବା ବେଳେ ମସ୍କଙ୍କ ସମ୍ପତ୍ତି ୨୬.୮ ବିଲିୟନ୍ ଡଲାର ବୃଦ୍ଧି ପାଇଛି ।

Leave A Reply

Your email address will not be published.