Latest Odisha News

BREAKING NEWS

ନିଜେ ଫସିଛନ୍ତି, କିନ୍ତୁ ରାହୁଲଙ୍କ ଉପରେ ବର୍ଷୁଛନ୍ତି !

ଭୁବନେଶ୍ୱର: ସୁରଟ ସେସନ୍ସ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ ହେବା ପରେ ପୁଣିଥରେ ରାହୁଲଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ନିଷ୍ପତ୍ତି ପଦାକୁ ଆସୁ ଆସୁ ତୁରନ୍ତ ବିଜେପି ନେତାମାନେ ରାହୁଲଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି।

ବିଜେପିର ଜାତୀୟ ସ୍ତରର ନେତାମାନେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ ଓ କୋର୍ଟରେ କାହାକୁ ଅଗ୍ରାଧିକାର ଦିଆଯିବନି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏପରିକି ଏହା ନ୍ୟାୟପାଳିକା ଓ ଲୋକଙ୍କର ବିଜୟ ବୋଲି କୁହାଯାଇଛି।

କିନ୍ତୁ ରାହୁଲଙ୍କ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି। ଅନୁରାଗଙ୍କ କହିବା କଥା ଏବେ ବି ସମୟ ଅଛି। ରାହୁଲ ଦେଶବାସୀଙ୍କୁ କ୍ଷମା ମାଗି ଦଣ୍ଡରୁ ବର୍ତ୍ତିବା ପାଇଁ ଚେଷ୍ଟା କରିପାରିବେ।

କିନ୍ତୁ ଅନୁରାଗଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାରେ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୋଲି ମାରୋ ନାରା ପାଇଁ ତାଙ୍କ ନାଁରେ ମାମଲା ରୁଜୁ କରିବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ନୋଟିସ କରିଛନ୍ତି।

ବୃନ୍ଦା କାରାତଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଅନୁରାଗ ଠାକୁରଙ୍କ ଦେଶକେ ଗଦାରୋ କୋ ଗୋଲି ମାରୋ ନାରା ଅତ୍ୟନ୍ତ ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି। କୋର୍ଟ ନୋଟିସ ଜାରି କରି ପକ୍ଷ ରଖିବାକୁ କହିଛନ୍ତି।

ତେଣୁ ଯେଉଁଭଳି ବିବାଦୀୟ ଟିପ୍ପଣୀ ପାଇଁ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ହୋଇଛି ସେଭଳି ଅନୁରାଗଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ନୋଟିସ ଦେଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଅନୁରାଗଙ୍କ ମନ୍ତବ୍ୟ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସେପଟେ ରାହୁଲଙ୍କୁ ଦଣ୍ଡାଦେଶ ପରେ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଥମି ନ ଥିବା ବେଳେ ସୁରଟ ସେସନ୍ସ କୋର୍ଟଙ୍କ ଆଉ ଏକ ନିଷ୍ପତ୍ତିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ସେପଟେ ବିଜେପି ମଧ୍ୟ ରାହୁଲଙ୍କୁ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛି। ଏବେ କର୍ଣ୍ଣାଟକ ନିର୍ବାଚନ ଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସ ରାହୁଲଙ୍କ ପ୍ରସଙ୍ଗକୁ ଏକ ପ୍ରମୁଖ ଅସ୍ତ୍ର କରିଛି।

ତେଣୁ ପୁଣିଥରେ ସୁରଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ଓ ବିଜେପି ନେତାଙ୍କ ରାହୁଲଙ୍କୁ ଶାଣିତ ଆକ୍ରମଣକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତା ଉପରେ ନଜର।

Leave A Reply

Your email address will not be published.