Latest Odisha News

BREAKING NEWS

ଦିଲ୍ଲୀରେ ରଥଯାତ୍ରା, ଦିଅଁ ଦର୍ଶନ କରି ରାଷ୍ଟ୍ରପତି ପାଳନ କଲେ ଜନ୍ମଦିନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ଠାରେ ୪୫ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ପାଖାପାଖି ୪୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମନ୍ଦିରରେ ବଢ଼ି ଭୋର ୫ଟା ସମୟରେ ମଙ୍ଗଳ ଆଳତି କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ସାଢେ଼ ୬ଟା ବେଳେ ନିଜ ଝିଅ ଇତିଶ୍ରୀ ଓ ପରିବାରବର୍ଗଙ୍କ ସହିତ ଏଠାରେ ପହଞ୍ଚି ପ୍ରଥମେ ଦିଅଁ ଦର୍ଶନ କରିଥିଲେ ଏବଂ ପରେ ତାଙ୍କର ୬୫ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଭାଗ ନେଇଥିଲେ।

ରାଷ୍ଟ୍ରପତିଙ୍କୁ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ପାଛୋଟି ନେଇଥିଲେ। ରାଜଧାନୀରେ ଆଜି ପାଗ ଅନୁକୂଳ ଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ବଢିଚଢ଼ିକି ଭଜନ କୀର୍ତ୍ତନ ଏବଂ ରଥ ଦଉଡ଼ି ଟଣାରେ ଭାଗ ନେଉଥିବା ନଜରକୁ ଆସିଥିଲା।

ଏଠାରେ ଦ୍ଵିପ୍ରହର ସାଢେ଼ ୧୨ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ୨୦ ଫୁଟ ଉଚ୍ଚର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା।

ଉପସ୍ଥିତ ଦର୍ଶକ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ନିଆରା ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟି ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରଯାଇଥିଲା। ଦିନ ୧୨ଟା ୪୫ ମିନିଟରେ ମୁଖ୍ୟ ଅତିଥି ଦିଲ୍ଲୀର ଉପ- ରାଜ୍ୟପାଳ ବିନୟ କୁମାର ସାକ୍ସେନା ପାରମ୍ପାରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସମ୍ମାନିତ ଅତିଥି ଡି.ଡି.ଏ ର ଉପାଧ୍ୟକ୍ଷ ଶୁଭାଶିଷ ପଣ୍ଡା କର୍ପୁର ଚନ୍ଦନ ଛିଞ୍ଚିଥିଲେ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୁଦୁଳା ପ୍ରଧାନ ଉପସ୍ଥିତ ଥିଲେ। ଏହା ପରେ ଅପରାହ୍ନ ଅଢେଇଟାରେ ମନ୍ଦିର ସାମ୍ନାର ବଡ଼ଦାଣ୍ଡରେ ରଥ ଟଣା ଆରମ୍ଭ ହୋଇଥିଲା। ରଥଟିକୁ ହାଉଜଖାସ ଭିଲେଜ ରୋଡରେ ମୁଖ୍ୟ ରାସ୍ତା ଶ୍ରୀ ଅରବିନ୍ଦ ମାର୍ଗକୁ ନିଆଯାଇ ସେଠାରୁ ଅଢେଇ କିଲୋମିଟର ଦୂରବର୍ତ୍ତି ଅନସାରୀ ନଗରରେ ପହୁଞ୍ଚାଯିବା ପରେ, ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଅଗଣିତ ଭକ୍ତ ମାନଙ୍କର ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ, ଠାକୁର ମାନଙ୍କ ଉପରେ ପୁଷ୍ପ ବର୍ଷଣ ଏବଂ ରଥ ବାଡ଼ରେ ନଡ଼ିଆ ଭାଙ୍ଗି ନିଜକୁ କୃତକୃତ୍ୟ ଉପଲବ୍ଧି କରୁଥିବା ଏବଂ ଭକ୍ତି ଭାବରେ ଅଭିଭୂତ ହୋଇ ପଡୁଥିବାର ଅନନ୍ୟ ଅନୁଭୂତି ବେଶ୍ ରୋମାଞ୍ଚକର ଥିଲା।

ମନ୍ଦିର ପ୍ରାଙ୍ଗଣରେ ଚାରି ଠାକୁର ରଥ ଉପରେ ବିରାଜମାନ ରହି ସର୍ବସାଧାରଣଙ୍କୁ ଡେରି ରାତି ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ। ଏହାପରେ ପୁନର୍ବାର ପହଣ୍ଡି କରାଯାଇ ଦିଅଁ ମାନଙ୍କୁ ମନ୍ଦିରର ବେସମେଣ୍ଟରେ ଥିବା ମାଉସୀମା ଘରକୁ ନିଆଯାଇ ସେଠାକାର ସିଂହାସନରେ ଆସୀନ କରାଯାଇଥିଲା। ରଥଯାତ୍ରାର ଧାରା ବିବରଣୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ସୁଜାତା ତ୍ରିପାଠୀ ଓ ପ୍ରଫେସର ଭଗିରଥ ଝା ପ୍ରଦାନ କରିଥିଲେ। ଗଣମାଧ୍ୟମରେ ପ୍ରସାରଣ ନେଇ ସରୋଜ ପାଣିଗ୍ରାହୀ ସମନ୍ଵୟ ରକ୍ଷା କରିଥିଲେ।

ସମଗ୍ର ଆୟୋଜନକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ (ଏ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ବି), ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶିଦ୍ଧ କୁମାର ଦାଶ, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, କିଶୋର ସାମଲ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ତଥା ସହ ପରିଚାଳକ ଶଶିକାନ୍ତ ସାହୁ, ସଞ୍ଜୀବ ଜେନା ଏବଂ ମନ୍ଦିରର ପୂଜକ ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥୀ, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Leave A Reply

Your email address will not be published.