ଭୁବନେଶ୍ବର: ଆଜି ପୁଣି ୩ୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଆନ୍ତର୍ଜାତିକ ନୌସେନା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ । ଏଥିପାଇଁ ଅପରାହ୍ଣ ୫ଟାରେ ଆଜି ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଜିବା ପରେ ରାଜଭବନରେ ରାତ୍ରୀଯାପନ କରିବେ । ଏହାପରେ ଆସନ୍ତାକାଲି ପୁରୀ ଗସ୍ତରେ ଯାଇ ଭାରତୀୟ ନୌସେନାର କୌଶଳ ଦେଖିବେ ରାଷ୍ଟ୍ରପତି ।
ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷାରେ ୩ ଡିସିପି,୧୫ ଏଡିସିପି, ୪୫ ଏସିପି ରାଙ୍କ ଅଫିସରଙ୍କ ସମେତ ମୋଟ ୪୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ମୁତୟନ ରହିବେ । ଏଥିସହିତ ଟ୍ରାଫିକ କଟକଣା ମଧ୍ୟ ରହିଛି ।
ତେବେ ଆଜି ୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଅପରାହ୍ଣରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠୁ ସିଧା ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବେ । ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ନୌସେନା ଦିବସ ଅବସରରେ ପୁରୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।