Latest Odisha News

ଆର୍ମି ଏୟାର ଡିଫେନ୍ସରେ ରାଷ୍ଟ୍ରପତି କୋବିନ୍ଦ, ପ୍ରଦାନ କଲେ ‘କଲର୍ସ ଆୱାର୍ଡ’

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଶନିବାର ଦିନ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘ରାଷ୍ଟ୍ରପତି କଲର୍ସ’ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ‘ସେନା ବାୟୁ ପ୍ରତିରକ୍ଷା ବାହିନୀ’କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଛନ୍ତି।

ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ‘ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ’ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ ।

ଏହି ଅବସରରେ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ପରେଡ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରାଯାଇଥିଲା । ନିଜ ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର ଗୌରବଶାଳୀ ପରମ୍ପରାକୁ ସ୍ମରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ ଅଫ ଆର୍ମୀ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.