Latest Odisha News

ବିଜେପୁର ଉପ ନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ନାମରେ ମୋହର ମାରିଛନ୍ତି । ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ।

ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ହେଉଛନ୍ତି ରୀତା ସାହୁ । ସ୍ୱାମୀଙ୍କ ଦେହାନ୍ତ ପରେ ବିଜେଡିରେ ଯୋଗଦେବା ସହ ବିଜେଡି ପ୍ରାର୍ଥୀ ହୋଇ ବିଜେପୁର ନିର୍ବାଚନରେ ବିଜୟୀ ହୋଇଥିଲେ ।

ତେବେ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ରୀତା ସାହୁଙ୍କୁ ଟିକେଟ୍ ମିଳିନଥିଲା । ମୁଖ୍ୟମନ୍ତ୍ରୀ ବିଜୟୀ ହେବା ପରେ ଏଠାରୁ ଇସ୍ତଫା ଦେଇ ହିଞ୍ଜିଳି ଆସନକୁ ନିଜ ପାଖରେ ରଖିଥିଲେ । ଫଳରେ ବିଜେପୁର ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଏବେ ଯାଏଁ ତାର ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି ।

ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଏହି ଦିନ ସମସ୍ତ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ । ଅକ୍ଟୋବର ୨୧ତାରିଖରେ ବିଜେପୁର ଉପ ନିର୍ବାଚନର ଭୋଟ୍ ଗ୍ରହଣ ହେବ । ଅକ୍ଟୋବର ୨୪ରେ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.