Latest Odisha News

କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୧୭ ତମ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହା ପରେ କେନ୍ଦ୍ର କ୍ୟାବିନେଟ୍ ର ସୁପାରିଶ କ୍ରମେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଲୋକସଭା ନିର୍ବାଚନରେ ବହୁମତ ହାସିଲ କରିବା ପରେ ଆଜି ଦିଲ୍ଲୀରେ ଚାଲିଥିବା ଏନଡିଏର ବୈଠକ ଶେଷ ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଙ୍କ ସମେତ ଚିରାଗ ପାସଓ୍ବାନ ଓ ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ପ୍ରମୁଖ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏହାପରେ ଏନଡିଏ ନେତା ଆଜି ରାଷ୍ଟ୍ରପତିଙ୍କୁ ଭିଟିବାର କାର୍ଯ୍ୟକ୍ରମ ରହିଛି ।

ଏହାରି ଭିତରେ ନୂଆ ସରକାରଙ୍କ ଶପଥ ଗ୍ରହଣ ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି । ତେବେ ଆସନ୍ତା ୮ତାରିଖ ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ନେହରୁଙ୍କ ପରେ ଦେଶର ଦ୍ୱିତୀୟ ନେତା ହେବେ ନରେନ୍ଦ୍ର ମୋଦି ଯିଏ କି ଲଗାତାର ତୃତୀୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

 

Leave A Reply

Your email address will not be published.