ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପର୍ତ୍ତୁଗାଲ ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ କି ଭାରତ ଏବଂ ପର୍ତ୍ତୁଗାଲ କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକୀ ପାଳନ କରୁଛନ୍ତି। ରାଷ୍ଟ୍ରପତି ଙ୍କ ପର୍ତ୍ତୁଗାଲ ଗସ୍ତ ଐତିହାସିକ କାରଣ। ଜଣେ ଭାରତୀୟ ରାଷ୍ଟ୍ରପତି ଭାବେ ୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତ କରାଯାଉଛି। ରାଷ୍ଟ୍ରପତି ମୁର୍ମୁ ତାଙ୍କ ପର୍ତ୍ତୁଗୀଜ୍ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୋସାଙ୍କ ନିମନ୍ତ୍ରଣରେ ଏହି ଗସ୍ତ କରୁଛନ୍ତି। ପୂର୍ବରୁ ପର୍ତ୍ତୁଗାଲ ରାଷ୍ଟ୍ରପତି ଡି ସୋସା ୨୦୨୦ରେ ଭାରତ ଗସ୍ତ କରିଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ରେ ପର୍ତ୍ତୁଗାଲ ଗସ୍ତ କରିଥିଲେ।
ସେହିପରି ରାଷ୍ଟ୍ରପତି ମୁର୍ମୁଙ୍କ ଏହି ଗସ୍ତ ଭାରତରୁ ସ୍ଲୋଭାକିଆକୁ ଦ୍ୱିତୀୟ ସରକାରୀ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ଦୃଢ଼ ରାଜନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି।
ଏନେଇ ବୈଦେଶିକ ସଚିବ କହିଛନ୍ତି ଯେ ଭାରତୀୟ କମ୍ପାନୀଗୁଡ଼ିକ ସ୍ଲୋଭାକିଆରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛନ୍ତି। ଏହା ବ୍ୟତୀତ, ସ୍ଲୋଭାକିଆନ୍ ବ୍ୟବସାୟୀ ମଧ୍ଯ ଭାରତରେ ଉତ୍ପାଦନ, ଇସ୍ପାତ, ଆଇଟି ହାର୍ଡୱେୟାର ଏବଂ ରେଳବାଇ ଭଳି କ୍ଷେତ୍ରରେ ମଧ୍ୟ ନିବେଶ କରୁଛନ୍ତି।
Comments are closed.