ପୁରୀ : ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଆସି ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଗର୍ଭଗୃହକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ମହାପ୍ରସାଦ ସେବନ କରିବେ। ମହାମହୀମ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ପୂର୍ବରୁ ସକାଳ ୧୦.୩୦ ରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ତାଙ୍କ କୌଳିକ ପଣ୍ଡା ବେଶ ଉତ୍ସାହିତ। ରାଷ୍ଟ୍ରପତି ହେବା ପୂର୍ବରୁ ବିଧାୟିକା,ମନ୍ତ୍ରୀ ଓ ରାଜ୍ୟପାଳ ଥିବା ସମୟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନେକ ବାର ପୁରୀ ଆସିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ କୌଳିକ ପଣ୍ଡାଙ୍କ ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ପରେ ତାଙ୍କ ଦର୍ଶନରେ ସବୁ ପ୍ରକାର ସହଯୋଗ କରିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ଆନନ୍ଦବଜାରରେ ଯଦି ମହାପ୍ରସାଦ ପାଇବେ ମହାମହିମ ରାଷ୍ଟ୍ରପତି ତେବେ ଗର୍ବର କଥା ହେବ ବୋଲି କୌଳିକ ପଣ୍ଡା କହିଛନ୍ତି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଏସପିଙ୍କ କାର୍ଯ୍ୟାଳୟର ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁରୀ ଏସପି କହିଛନ୍ତି।
ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
Comments are closed.