Latest Odisha News

BREAKING NEWS

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟୁଟରରେ ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ। ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ। ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ। ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି, ଓଡ଼ିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି।

ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ କରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ହେବା ସହିତ ଓଡ଼ିଶାର ସଂଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜଳ ନକ୍ଷତ୍ରର ଅବସାନ ଘଟିବା ବ୍ୟକ୍ତ କରିଛନ୍ତି।

ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଶ୍ରୀ କରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.