Latest Odisha News

BREAKING NEWS

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିବେ। ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ସୂଚନା ଅନୁସାରେ ରାଷ୍ଟ୍ରପତି ଅପରାହ୍ନ ୩  ଟାରେ ଗୁଆହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରି ଅପରାହ୍ଣ ୪ ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା କାଲି ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଆନୁଷ୍ଠାନିକ ଭାବରେ ପ୍ରବାସୀ ଭାରତୀୟ ଦିବସ ୨୦୨୫ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନିର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବେ।

ଉଲ୍ଲେଖଯୋଗ୍ୟ, ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହୋଇଛି । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀ ମାନଙ୍କ ସହିତ ଆଲୋଚନା ହୋଇଛି। ପ୍ରବାସୀ ଭାରତୀୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେଇଛନ୍ତି । ଅତିଥିମାନଙ୍କ ସତ୍କାର ପାଇଁ ରାଜଧାନୀ ସଜେଇ ହୋଇଛି । ଭୁବନେଶ୍ବରରେ ଫ୍ଲାଏ ଓଭର, ବ୍ରିଜଠୁ ଆରମ୍ଭ କରି ପାଚେରୀ, କାନ୍ଥ ପର୍ଯ୍ୟନ୍ତ ସଜେଇ ହୋଇଛି । ସେମାନଙ୍କ ପାଇଁ ଭୁବନେଶ୍ବର, କଟକ ସମେତ ପୁରୀରେ ରହିବା ବ୍ୟବସ୍ଥା କରାଯାଇଛି । ଅତିଥିଙ୍କୁ ଓଡ଼ିଶା କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ସ୍ବତନ୍ତ୍ର ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି ।

ପ୍ରବାସୀ ଭାରତୀୟ ଦିବସ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମୁଦାୟର ଅବଦାନକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ୨୦୦୩ ମସିହାଠାରୁ ଏପର୍ଯ୍ୟନ୍ତ ଏହି ଦିବସ ଆୟୋଜନ ହୋଇ ଆସୁଛି । ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଜନ୍ମ ମାଟି ସହ ଯୋଡ଼ିବା ଓ ଏହାର ଗୌରବମୟ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ସହ ଅଧିକ ପରିଚିତ କରି ଯୋଡ଼ିବା ଲାଗି ଏହି ଦିବସ ଆୟୋଜନ କରାଯାଇ ଆସୁଛି।

Leave A Reply

Your email address will not be published.