Latest Odisha News

BREAKING NEWS

ଜନ୍ମମାଟିରେ ବିଭୋର ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ବି ଥିଲା ଓଡ଼ିଆ ମହକ

ବାରିପଦା: ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଯାଇଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ରାଷ୍ଟ୍ରପତି ମୟୂରଭଞ୍ଜ  ଯାଇଛନ୍ତି ।

ନିଜ ମାଟିରେ ଏତେ ପାଖରେ ମହାମହିମଙ୍କୁ ଦେଖି ଜିଲ୍ଲାବସୀ ଯେତିକି ଖୁସି, ଜନ୍ମମାଟିରେ ପାଦରଖି ରାଷ୍ଟ୍ରପତି ବି ସେତିକି ଖୁସି ଯାହା ତାଙ୍କ ମୁହଁରୁ ବାରି ହୋଇପଡୁଥିଲା। ବାଦାମପାହାଡ ହେଲିପ୍ୟାଡରୁ ଓହ୍ଲାଇବା ପରେ ସେ  ନିଜ ସ୍କୁଲ SLSକୁ ଯାଇଥିଲେ। ସେଠାରେ ସ୍ୱାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ  ଆଦିବାସୀଙ୍କ ପୂଜାର ଆସ୍ଥାନ ଗୋଷାଣୀକୁ ମଧ୍ୟ ଯାଇଥିଲେ ରାଷ୍ଟ୍ରପତି।

ସେଠାରେ ଆଦିବାସୀ ପରମ୍ପରା ଅନୁଯାୟୀ  ପୂଜାର୍ଚ୍ଚନା ବି କରିଥିଲେ।   ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଅନେକ ସ୍ଥାନୀୟ ନେତା ବି ସାମିଲ ହୋଇଥିଲେ ।

ପାରମ୍ପରିକ ଶୈଳୀରେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ ଜିଲ୍ଲାବାସୀ । ଯେଉଁଠି ଦେଖିବା ଆଦିବାସୀ ପରମ୍ପରାର ଝଲକ ।   କେଉଁଠି ନାଚ ଗୀତ ତ ଆଉ କେଉଁଠି ଢୋଲ ବାଦ୍ୟର ତାଳେ ତାଳେ ଝୁମୁଥିଲେ ଲୋକେ । ଆଜି ମଧ୍ୟହ୍ନ ଭୋଜନରେ ବି ଥିଲା ଓଡ଼ିଆ ମହକ ।   ଆଜି ମଧ୍ୟାହ୍ନ ଭୋଜନରେ ପଖାଳ, ବଡ଼ି ଚୁରା, ଶାଗ ଭଜା, ଆଳୁ ଭଜା, ସମେତ ଯାହା ଯାହା ରାଷ୍ଟ୍ରପତିଙ୍କ ପସନ୍ଦ ସେସବୁ ମେନ୍ୟୁରେ ରହିଥିଲା।

ଏଥର ବି ରାଷ୍ଟ୍ରପତିଙ୍କ  ବ୍ୟବହାର, ଚାଲିଚଳନରେ ବାରି ହୋଇପଡୁଥିଲା ସେଇ ନମ୍ରତା, ନିରହଙ୍କାରତା । କାରକେଡରୁ ଓହ୍ଲାଇ ଚାଲିଚାଲି ଲୋକଙ୍କ ପାଖକୁ ଯାଉଥିଲେ । କେତେବେଳେ କୁନି ଛୁଆକୁ ଉଠାଇ ନେଉଥିଲେ ତ କେତେବେଳେ ଚିହ୍ନା ମୁହଁକୁ ଚାହିଁ ହସି ଦେଉଥିଲେ ।

Comments are closed.