ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି କି ? ଆଉ ଏହାକୁ ଲୁଚାଇବା ପାଇଁ ଆତ୍ମହତ୍ୟାର ରୂପ ଦିଆଯାଉଛି କି ? ଏମିିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ଗୋବିନ୍ଦଙ୍କ କେସ ଲଢୁଥିବା ଆଇନଜୀବୀ ଗଣମାଧ୍ୟମକୁ କହିଛନ୍ତି, ହାଇଦ୍ରାବାଦ ନାସନାଲ ଲାବ୍ରୋଟୋରୀରୁ ଯେଉଁ ଡିଏନଏ ରିପୋର୍ଟ ଆସିଛି ସେଥିରେ ଉଲ୍ଲେଖ ରହିଛି ମମିତା ମେହେରଙ୍କ ଡିଏନଏ ସହିତ ତାଙ୍କର ବାପା ମା’ଙ୍କ ଡିନଏ ମେଳ ଖାଉ ନାହିଁ । ଏହି ତଥ୍ୟ ଜଣାପଡ଼ିବା ପରେ ବୋଧହୁଏ ବିଜୁ ଜନତା ଦଳର ନେତୃବର୍ଗମାନେ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ବହୁ ବ୍ୟସ୍ତ ହୋଇପଡିଛନ୍ତି।
ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ପ୍ରକୃତ ଅପରାଧୀ ଭୟଭୀତ ହୋଇ ପଡ଼ିଥିବେ । ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିଯିବ ଭାବି ଆତଙ୍କିତ ହୋଇ ପଡ଼ିଥିବେ । ଏହାର ପରିମାଣ ବୋଧହୁଏ ଗୋବିନ୍ଦ ସାହୁଙ୍କୁ ଭୋଗିବାକୁ ପଡ଼ିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା ।
ବିଧାୟକ ପ୍ରଶ୍ନ କରିଛନ୍ତି, ଗତକାଲି କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ଥାନୀୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବହୁ କିଛି ଅକୁହା ଓ ଲୁଚାଯାଇଥିବା ତଥ୍ୟକୁ ସଂପୂର୍ଣ୍ଣ ରୂପେ ଲୁଚାଇଦେବା ପାଇଁ ଏକ ଷଡ଼ଯନ୍ତ୍ର । ଏ ଷଡଯନ୍ତ୍ର ସରକାରୀ ଦଳର । ପ୍ରଭାବଶାଳୀ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବହୁ କିଛି ଆଇଏସ, ଆଇପିଏସ ଅଫିସର ଏ ଷଡ଼ଯନ୍ତ୍ର ରଚନା କରିଥିଲେ କି ବୋଲି ସାଲୁଜା ଅଭିଯୋଗ କରିଛନ୍ତି ।
ସେ ପ୍ରଶ୍ନ କରିଥିଲେ, ଜେଲ ପରିସର ଭିତରେ ସିସିଟିଭି କ୍ୟାମେରା ଲଗାଯାଇଅଛି । ଏପରିକି ପୋଲିସ କର୍ମଚାରୀମାନେ ମଧ୍ୟ କଏଦୀ ମାନଙ୍କୁ ଜଗି ରୁହନ୍ତି । ଏତେ ବ୍ୟବସ୍ଥା ସତ୍ତ୍ୱେ କିଭଳି ଗୋବିନ୍ଦ ସାହୁ ଏକ ଛଅଫୁଟ ଲମ୍ବ ରେଲିଂରେ ଗାମୁଛାରେ ଆତ୍ମହତ୍ୟା କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ପୂର୍ବଦିନ ରାତି ୧୧ଟା ପର୍ଯ୍ୟନ୍ତ ପରିବାରର ନିଜ ସ୍ତ୍ରୀ ଓ ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି ବୋଲି ନିଜେ ତାଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ରାତି ୧୧ଟାରେ ଗୋବିନ୍ଦ ମୋବାଇଲ ଆଣିଲେ କେଉଁଠୁ ? ମୋବାଇଲ କିଏ ତାଙ୍କୁ ଯୋଗାଇ ଦେଇଥିଲା । ଏକ ବିଚାରଧିନ କଏଦି ଭାବେ ରହିବା ପରିବର୍ତେ ଗୋବିନ୍ଦ ରାଜକୀୟ ଢ଼ଙ୍ଗରେ ରହୁଥିଲେ । ତାହାଲେ ତାଙ୍କର ପୁଣି କ’ଣ ଅସୁବିଧା ହେଲା ଯେ ଏମିତି ଚରମ ପଦକ୍ଷେପ ନେଲେ ?
ଯେଉଁମାନେ ମ୍ୟୁଖ୍ୟ ଅଭିଯୁକ୍ତ ବା ଅଭିଯୋଗକାରୀ, ବିଜୁଜନତା ଦଳର ନେତୃବୃନ୍ଦ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଉଛନ୍ତି । ଯଦ୍ୱାରା କି ଭବିଷ୍ୟତରେ ସେହି ନେତୃବୃନ୍ଦଙ୍କ ପ୍ରତି ଆଉକିଛି ପ୍ରଶ୍ନ ଉଠିବ ନାହିଁ ବା ଆଇନର ଜାଲରେ ଛନ୍ଦି ହେବେ ନାହିଁ ବୋଲି କହିଛନ୍ତି ବିଧାୟକ ସାଲୁଜା । ମମିତା ମେହର ଘଟଣାରେ ସେତେବେଳର
ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ମିଳି ସାରିଥିଲା । ଏପରିକି ବିଜୁ ଜନତା ଦଳର ବହୁ ତୁଙ୍ଗ ନେତୃବୃନ୍ଦ ଓ ମନ୍ତ୍ରୀମାନେ ଲଗାତାର ମହାଲିଙ୍ଗ କଲେଜକୁ ଯିବାର ପ୍ରମାଣ ମଧ୍ୟ ମିଳିଥିଲା । ଏମାନେ ସମସ୍ତେ ଗୋବିନ୍ଦ ସାହୁଙ୍କର ଅତି ନିଜସ୍ୱ ଥିଲେ ।
ଅନ୍ୟପକ୍ଷେ ଗୋବିନ୍ଦ ସାହୁଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ କାହିଁକି କଂଟାବାଞ୍ଜି ଜେଲର କର୍ମଚାରୀ ମାନଙ୍କୁ ବହୁଳ ଭାବରେ ଟ୍ରାନସଫର କରାଯାଇଥିଲା ? ନିଜେ ସମ୍ବଲପୁର ରେଞ୍ଜର ଡିଆଇଜି କଂଟାବାଞ୍ଜି ଜେଲକୁ ପରିଦର୍ଶନରେ ଯାଇଥିଲେ । ଯଦି ସେତବେଳେ ଏଭଳି କୌଣସି ଅସୁବିଧା ପରିଲକ୍ଷିତ କରିଥିଲେ ତାହାକୁ ସୁଧାରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା । ସବୁଠାରୁ ବଡ କଥା ହେଲା, ଗୋବିନ୍ଦ ମୃତ୍ୟୁ ଖବର ତାଙ୍କ ପରିବାରକୁ କାହିଁକି ତୁରନ୍ତ ଦିଆଗଲା ନାହିଁ ? ମୃତ୍ୟୁପରେ ତାଙ୍କ ପତ୍ନୀଙ୍କୁ କାହିଁକି ସନ୍ଧ୍ୟା ୫ଟା ପରେ ଖବର ଦିଆଗଲା ? ଏହି ସ୍ପର୍ଷକାତର ଘଟଣାର ଉଚ୍ଚ ନ୍ୟାୟଳୟର ଏକ ବିଚାରପତିଙ୍କ ପରିଚାଳନରେ ଏକ ଏସଆଇଟି ତଦନ୍ତ ବା ସିବିଆଇ ତଦନ୍ତ ହେଉ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି ।
Comments are closed.