Latest Odisha News

ମୋତେ ‌ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିଲା, ଓଡ଼ିଆ ନବବର୍ଷରେ ପାଞ୍ଜି ଖୋଲିବି : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ  ସମୟ ଆସିଲେ ପାଞ୍ଜି ଖୋଲିବା କଥା ଆଜି ଗଣମାଧ୍ୟମକୁ କହିଛନ୍ତି। ଟାଟା କମ୍ପାନିରେ ଚାକରି ନାଁରେ ଠକେଇ ମାମଲାରେ ସମସ୍ତ ୫ଟି ମାମଲାରୁ ନିର୍ଦ୍ଦେଶ ସାବ୍ୟସ୍ତ ହେଲା ପରେ ସେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ ଓଡିଆ ନବବର୍ଷରେ କେଉଁ ପାଞ୍ଜି ଖୋଲିବେ ତାହା ସ୍ପଷ୍ଟ ଭାବେ କହିନାହାନ୍ତି। ପୂର୍ବ ସରକାରର କିଛି ଗୁମର କଥାକୁ ସାଂସଦ ଶ୍ରୀ ପାଣିଗ୍ରାହୀ ପାଞ୍ଜି ଭାବରେ କହୁଥିବା ସାଧାରଣରେ ଆଲୋଚନା ହେଉଛି।

ସାଧାରଣ ନିର୍ବାଚନ ପୂର୍ବରୁ ‘ଲେଖା ଛିଣ୍ଡିବ’ କହି ଚର୍ଚ୍ଚାକୁ ଆସିଥିବା ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି, ଆଜି କୋର୍ଟ ୫ଟି ମାମଲାରେ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହା ଦ୍ବାରା ମୋର ପୁଅ-ଝିଅ ଓ ଗୋପାଳପୁର ଜନତାଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ସେ ଆହୁରି କହିଛନ୍ତି, ମୋତେ ‌ଷଡ଼ଯନ୍ତ୍ର ତଥା ଚାପ ପ୍ରୟୋଗ କରି ଗିରଫ କରାଯାଇଥିଲା। ବିଜେଡିରୁ ଦଳ ବିରୋଧୀ କହି ବାହାର କରିଦିଆଯାଇଥିଲା। କିନ୍ତୁ ସ୍ମୟାନୁକ୍ରମେ ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାହାର କରିଦେ‌ଇଛନ୍ତି।  ରାଜ୍ୟବାସୀ ତାଙ୍କୁ ଜନବିରୋଧୀ ବୋଲି ପ୍ରମାଣିତ କରିଦେଇଛନ୍ତି।

ସେ ସମସ୍ତ ଶ୍ରେୟ ଗଣମାଧ୍ୟମକୁ ଦେଇଛନ୍ତି। ଟଙ୍କା କହିବା ମୁତବକ ଗଣମାଧ୍ୟମ ସତ ଖବର ଲୋକଙ୍କ ପାଖରେ ପହଞ୍ଚାଇଛି। ପ୍ରତିକ୍ରିୟା ଦେବା ସମୟରେ ସେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଇଙ୍ଗିତ କରିଛନ୍ତି।  ସେ କହିଛନ୍ତି, ନବୀନ ବାବୁ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ଥିଲେ ମୋ ଗିରଫ ସମୟରେ ପଦେ ହେଲେ ଉତ୍ତର ରଖିନଥିଲେ। ମୁଁ ଗିରଫ ପରେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ମାସକୁ ପ୍ରାୟ ୧୦ ଦିନ ମୋତେ କୋର୍ଟ ଯିବାକୁ ପଡୁଥିଲା।  ବିଜେଡିର ଏହି ବିପର୍ଯ୍ୟୟ ପାଇଁ କେବଳ କାର୍ତ୍ତିକ ନୁହେଁ, ନବୀନ ମଧ୍ୟ ଦାୟୀ। ରାଜ୍ୟରେ ଯେଉଁ ୫୧ ଜଣ ବିଜେଡି ବିଧାୟକ ଅଛନ୍ତି, ସେ ସଂଖ୍ୟା ମଧ୍ୟ କମିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଗଣତନ୍ତ୍ରିକ ରାଷ୍ଟ୍ରରେ ଯାହା ପାଖରେ ଲୋକ ଥାଆନ୍ତି, ଯାହାଙ୍କୁ ଲୋକ ଅନୁସରଣ କରନ୍ତି ତାଙ୍କୁ ନେତା କୁହନ୍ତି। ବିଜେଡି ଶାସନରେ କିଛି ନିର୍ବାଚିତ ପ୍ରତିନିଧି ଟ୍ରାଫିକ ପରିଚାଳନା କରୁଥିଲେ। ନେତା ହେବା ପାଇଁ ନବୀନଙ୍କ ପଛରେ ଗୋଡାଇବା ପରିବର୍ତ୍ତେ  ଜନତାଙ୍କ ସହିତ ରହିବା ଦରକାର। ବିଜେଡିରେ ରହିଥିବା ବ୍ୟକ୍ତି ବିଶେଷ କେତେ ସ୍ବଚ୍ଛ, ତାହା ସମୟ ଆସିଲେ ଜବାବ ଦେବି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସବୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦୁଇଟି ମାମଲାରେ କୋର୍ଟ  ଦୋଷମୁକ୍ତ କରିଥିଲେ। ଆଜି ତାଙ୍କୁ ଅନ୍ୟ ୩ଟି ମାମଲାରେ ଗ୍ରାମାଞ୍ଚଳ ଜେଏମଏଫସି କୋର୍ଟ ନିର୍ଦ୍ଦୋଷ ରାୟ ଦେଇଛନ୍ତି ।  ଶ୍ରୀ  ପାଣିଗ୍ରାହୀ ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି।

ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା।

Comments are closed.