Latest Odisha News

BREAKING NEWS

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ଏହାର ମୂଲ୍ୟ ୨୨୫୩ ଟଙ୍କା ହୋଇଛି ବୋଲି ଜଣାପଡ଼ିଛି । ଗତ ଦୁଇ ମାସ ମଧ୍ୟରେ ୧୯ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୩୪୬ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧ରେ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦର ୧୦୫ ଟଙ୍କା ବୃଦ୍ଧି ପାଇଥିଲା ଏବଂ ତା’ପରେ ମାର୍ଚ୍ଚ ୨୨ରେ ଏହାର ଦର ୯ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏଥିରୁ ଆଶ୍ୱସ୍ତି ମିଳିଛି ଯେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ସିଲିଣ୍ଡରରେ ନୁହେଁ, ବରଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରରେ ହୋଇଛି।

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ୨୨ରେ ସବସିଡି ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି ପାଇଥିଲା। ପୂର୍ବରୁ ୬ ଅକ୍ଟୋବର ୨୦୨୧ ପରେ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା।

ଆଜି ଏପ୍ରିଲ ୧ ତାରିଖରେ ଦିଲ୍ଲୀରେ ୯୪୯.୫୦ ଟଙ୍କା, କୋଲକାତାରେ ୯୭୬ ଟଙ୍କା, ମୁମ୍ବାଇରେ ୯୪୯.୫୦ ଟଙ୍କା, ଚେନ୍ନାଇରେ ୯୬୫.୫୦ ଟଙ୍କାରେ ଘରୋଇ ଏଲପିଜି ସିଲିଣ୍ଡର ଉପଲବ୍ଧ ହେଉଛି।

ସେପଟେ ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୧ ଦିନରେ ଦ୍ୱିତୀୟ ଥର ପାଇଁ ତେଲ ଦର ଅପରିବର୍ତ୍ତିତ ରହିଛି । ଏହା ପୂର୍ବରୁ ତେଲ ଦର ଲିଟର ପିଛା ୬.୪୦ ଟଙ୍କା ବୃଦ୍ଧି ପାଇସାରିଛି।

Leave A Reply

Your email address will not be published.