Latest Odisha News

BREAKING NEWS

ଆଜି ଉତ୍କଳ ଦିବସ: ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଦେଶରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଥିଲା । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି । ବିଶ୍ୱର କୋଣ ଅନୁକୋଣରେ ପ୍ରତିଟି ଓଡ଼ିଆଙ୍କ ପାଇଁ ଏହି ଦିନଟି ବେଶ ଗୁରୁତ୍ୱ ରଖିଥାଏ ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରିକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିପାଇଁ ୧୯୦୩ ମସିହାରେ ଗଠିତ ହୋଇଥିଲା ଉତ୍କଳ ସମ୍ମିଳନୀ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ତୀବ୍ର ହୋଇଥିଲା ଭାଷା ଆନ୍ଦୋଳନ । ମଧୁବାବୁ ଓ ବହୁ ଓଡ଼ିଆଙ୍କ ଆପ୍ରାଣ ଚେଷ୍ଟା ପରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସ୍ୱଭାବ କବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ । ସେମାନେ ଆଜି ନାହାନ୍ତି ସତ । କିନ୍ତୁ ସେମାନେ ଓଡ଼ିଶାକୁ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ ।

Leave A Reply

Your email address will not be published.