Latest Odisha News

ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା, ମାଗଣା ମହାପ୍ରସାଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି

ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା ଖର୍ଚ୍ଚକୁ ଆଧାର କରି ପରୀକ୍ଷାମୁଳକ ଭାବେ ମହାପ୍ରସାଦ ଦର ତାଲିକା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହା ଚୂଡାନ୍ତ ତାଲିକା ନୁହେଁ ବୋଲି ନିଯୋଗ ତରଫରୁ କୁହାଯାଇଛି । ସେପଟେ କିନ୍ତୁ ତାଲିକାର ଦର ଦେଖି ଦେଖା ଦେଇଛି ବିରୋଧାଭାଷ । ଏପଟେ ମହାପ୍ରସାଦ ଦର ତାଲିକା କରାଯାଉ ହେଲେ ତାହା ବଜାର ଦରକୁ ଚାହିଁ ନୁହେଁ ବରଂ ଭକ୍ତଙ୍କ ଆର୍ଥିକ ସ୍ଥିତି ଓ ଭାବାବେଗକୁ ଦେଖି କରିବା ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଶ୍ରୀମନ୍ଦିରରେ ମାଗଣା ମହାପ୍ରସାଦ ବ୍ୟବସ୍ଥା ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସୁଆର ମହାସୁଆର ନିଯୋଗ ଓ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ।

ଆନନ୍ଦବଜାରର ରେଟ ଚାର୍ଟ ଅନୁଯାୟୀ ହୋଇଥିବା ଦର ତାଲିକାରେ ବାସୁମତୀ ବାଇହାଣ୍ଡି ଅନ୍ନର ଦାମ ଅଢେଇ ହଜାର ରହିଥିବା ବେଳେ ଜିରା ରାଇସର ଦାମ ୧୩ଶହ ଟଙ୍କା ରହିଛି । ୨୦୧୬ ମସିହାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ମାଗଣା ମହାପ୍ରସାଦ ବଣ୍ଟନ । ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ତରଫରୁ ଦୁଇଟି ବଡ ଆଟିକାରେ ମହାପ୍ରସାଦ ବାଇଶି ପାହାଚରେ ଦିଆଯାଉଥିଲା । କିନ୍ତୁ ସମୟକ୍ରମେ ତାହା ବନ୍ଦ ହୋଇଛି ଯାହାକୁ ନେଇ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ୨୦୧୮-୧୯ ଶ୍ରୀମନ୍ଦିର ବଜେଟରେ ମାଗଣା ମହାପ୍ରସାଦ ସେବନ ପ୍ରସଙ୍ଗ ଉଠିଥିଲା । ଏନେଇ ଦେଢ଼କୋଟିର ବ୍ୟୟବରାଦ ମଧ୍ୟ ହୋଇଥିଲା । ଆଗରୁ ଭକ୍ତଙ୍କ ହାତରେ କାଣିଚାଏ ମହାପ୍ରସାଦ ଦିଆଯାଉଥିବା ବେଳେ ୨୦୧୯ ରେ ଖଲିଦନାରେ ଦିଆଯିବା ପାଇଁ ଖଲି ଦନା ମଧ୍ୟ କିଣାଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଲେଶ୍ବର ଖଇରା ବ୍ଲକ ଅଧୀନ ଗୋବିନ୍ଦପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ଦାସ  ଭକ୍ତଙ୍କୁ ମାଗଣା ମହାପ୍ରସାଦ ଯୋଗାଇଦେବା ପାଇଁ ୨୦ଲକ୍ଷ ଟଙ୍କା ଦାନ ଦେଇଥିଲେ । ଯାହାକୁ ବ୍ୟାଙ୍କରେ ଡିପୋଜିଟ କରାଯାଇ ତାର ସୁଧ ଅର୍ଥରେ ମହାପ୍ରସାଦ ଦେବାପାଇଁ ସେ ନିବେଦନ କରିଥିଲେ । କିନ୍ତୁ ସବୁପରେ ମଧ୍ୟ କାହିଁକି ମାଗଣା ମହାପ୍ରସାଦ ଦେବାରେ ଆନ୍ତରିକତା ଦେଖାଉନାହିଁ ଶ୍ରୀମନ୍ଦିର ପ୍ରଶାସନ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ସୁଆର ମହାସୁଆର ନିଯୋଗ ସମ୍ପାଦକ ଓ ବରିଷ୍ଠ ଦଇତାପତି ସେଵାୟତ ବିନାୟକ ଦାସ ମହାପାତ୍ର ଭକ୍ତଙ୍କ ପାଇଁ ମାଗଣା ମହାପ୍ରସାଦ ବ୍ୟବସ୍ଥା ତୁରନ୍ତ ଲାଗୁ କରିବାକୁ କରିଛନ୍ତି ।

Leave A Reply

Your email address will not be published.