Latest Odisha News

ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ:ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ସିଏମଓଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ।

୩ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ରାଜଧାନୀ କିଛି ଦିନ ହେବ ଆନ୍ଦୋଳନ ଚଲାଇ ଆସୁଥିଲେ । ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ ଆଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିୟର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରିବା  ପରି ଦାବି ନେଇ ରାଜ୍ୟର ପାଖାପାଖି ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ ସମୂହରେ ଛୁଟିରେ ରହି  ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ସ୍କୁଲରେ ପାଠପଢା ବ୍ୟାହତ ହେଉଥିଲା ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଶିକ୍ଷକମାନଙ୍କର ଆଲୋଚନା ହୋଇଥିଲା । ଆଲୋଚନାରେ  ୮ଟି ଶିକ୍ଷକ ସଂଗଠନ ସାମିଲ ହୋଇଥିଲେ । ପିଲାଙ୍କ ପାଠପଢା ବନ୍ଦ ସମସ୍ୟାର ସମାଧାନ ନେଇ ଆଲୋଚନା କରାଯାଥିଲା । ଡିସେମ୍ବରରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରହିବା ନେଇ ଘୋଷଣା କରାଯାଇଥିଲା ।  ଫଳରେ ସ୍କୁଲ ଖୋଲିବା ଓ ପିଲାଙ୍କ ପାଠ ପଢା ନେଇ ବାଟ ଫିଟିଛି ।

Comments are closed.