Latest Odisha News

BREAKING NEWS

ଟିମ୍‌ ଇଣ୍ଡିଆ ଭଳି କାର୍ଯ୍ୟ କଲେ, ସମସ୍ତ ଲକ୍ଷ୍ୟ ସମ୍ଭବ: ନୀତି ଆୟୋଗ ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ୨୦୪୭’ ବିଷୟବସ୍ତୁ ଉପରେ ଦଶମ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକର ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ ଯେ ପ୍ରତ୍ୟେକ ରାଜ୍ୟ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ବିକଶିତ କରିବା ଉଚିତ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଉପରେ ଧ୍ୟାନ ଦେବା ଉଚିତ୍।

ମୋଦି ବୈଠକ ସମୟରେ କହିଥିଲେ, ‘ଭାରତରେ ସହରୀକରଣ ଦ୍ରୁତ ଗତିରେ ବଢୁଛି। ଆମେ ଭବିଷ୍ୟତ ପାଇଁ ସହରଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ କାମ କରିବା ଉଚିତ। ବିକାଶ, ନବସୃଜନ ଏବଂ ସ୍ଥିରତା ଆମ ସହରଗୁଡ଼ିକର ଅଭିବୃଦ୍ଧିର ଇଞ୍ଜିନ ହେବା ଉଚିତ। ଏହି ବୈଠକରେ ସେ ‘ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ଵସ୍ଥରୀୟ ଲକ୍ଷ୍ୟ’ ବିଷୟରେ ଆଲୋଚନା କରିଥିଲେ।

ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, “ଆମକୁ ଏପରି ଭାବରେ କାମ କରିବା ଉଚିତ ଯେ ଆମର ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନ ସାଧାରଣ ନାଗରିକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବ। ଯେତେବେଳେ ଲୋକମାନେ ସେହି ପରିବର୍ତ୍ତନ ଅନୁଭବ କରିବେ, ସେତେବେଳେ ହିଁ ସେହି ପରିବର୍ତ୍ତନ ଶକ୍ତିଶାଳୀ ହୋଇ ଏକ ଜନ ଆନ୍ଦୋଳନରେ ପରିଣତ ହେବ। ୧୪୦ କୋଟି ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆମ ପାଖରେ ଏକ ଦଳ ଭାବରେ ଏକ ମହାନ ସୁଯୋଗ ଅଛି। ଟିମ୍‌ ଇଣ୍ଡିଆ ଭଳି କାର୍ଯ୍ୟ କଲେ, ସମସ୍ତ ଲକ୍ଷ୍ୟ ସମ୍ଭବ। ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ପରି କାମ କରନ୍ତି, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ ।”

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭୂମିକା ବୃଦ୍ଧି କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ, “ଆମକୁ ଆମର କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରିବା ପାଇଁ କାମ କରିବା ଉଚିତ। ଆମକୁ ଏପରି ଆଇନ ଏବଂ ନୀତି ତିଆରି କରିବା ଉଚିତ ଯାହା ସେମାନଙ୍କୁ ସମ୍ମାନର ସହିତ କର୍ମକ୍ଷେତ୍ରରେ ସାମିଲ କରିପାରିବ।”

ବୈଠକରେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି। ତଥାପି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି।

ଏହି ବୈଠକରେ ଯୋଗଦେବା ପାଇଁ ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପହଞ୍ଚିଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି। ମମତାଙ୍କ ବ୍ୟତୀତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ବୈଠକରେ ଯୋଗ ଦେଇ ନଥିଲେ। ଏହା ବ୍ୟତୀତ ବିଜେପି ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ବୈଠକରେ ଅନୁପସ୍ଥିତ ଥିଲେନ୍ତି।

Comments are closed.