ଜୟପୁର: ସେକ୍ସପିଅର କହିଥିଲେ ଯେ ନାମରେ କ’ଣ ଅଛି, କିନ୍ତୁ ହୁଏତ ଜୟପୁରର କିଛି ଲୋକ ଏଥିରେ ସହମତ ନୁହଁନ୍ତି। କାରଣ ସେମାନେ ଲୋକପ୍ରିୟ ମିଠା ‘ମୋତି ପାକ୍’କୁ ‘ମୋତି ଶ୍ରୀ’ ଏବଂ ‘ମୈସୁର ପାକ୍’କୁ ‘ମୈସୁର ଶ୍ରୀ’ ନାମରେ ପରିବର୍ତ୍ତନ କରି ଦେଇଛନ୍ତି। ପାକିସ୍ତାନ ବିରୋଧୀ କ୍ରୋଧକୁ ଦୃଷ୍ଟିରେ ରଖି ଏହି ମିଠାର ନାମ ପରିବର୍ତ୍ତନ କରାଯାଇଛି। ମିଠା ପାଇଁ ପ୍ରସିଦ୍ଧ ଜୟପୁର ସହରର ଅତି କମରେ ତିନୋଟି ପ୍ରମୁଖ ଦୋକାନ ସେମାନଙ୍କର ପାରମ୍ପରିକ ମିଠାରୁ ‘ପାକ୍’ ଶବ୍ଦକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇ ଉକ୍ତ ସ୍ଥାନରେ ‘ଶ୍ରୀ’ ଶବ୍ଦ ବ୍ୟବହାର କରୁଛନ୍ତି। ତେଣୁ ‘ଆମ୍ ପାକ୍’ ଏବେ ‘ଆମ୍ ଶ୍ରୀ’, ‘ଗୋନ୍ଦ୍ ପାକ୍’ ଏବେ ‘ଗୋନ୍ଦ୍ ଶ୍ରୀ’ ହୋଇଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଦେଶପ୍ରେମର ଭାବନାକୁ ଦର୍ଶାଇବା ପାଇଁ ‘ସ୍ୱର୍ଣ୍ଣ ଭସ୍ମ ପାକ୍’ ଏବଂ ‘ଚଣ୍ଡୀ ଭସ୍ମ ପାକ୍’ର ନାମ ବର୍ତ୍ତମାନ ‘ସ୍ୱର୍ଣ୍ଣ ଶ୍ରୀ’ ଏବଂ ‘ଚଣ୍ଡୀ ଶ୍ରୀ’ ରଖାଯାଇଛି। ଜୟପୁରର ବୈଶାଳୀ ନଗର ଅଞ୍ଚଳର ପ୍ରସିଦ୍ଧ ମିଠା ଦୋକାନ ‘ତ୍ୟୋହାର ସ୍ୱିଟ୍ସ’ର ମାଲିକାଣୀ ଅଞ୍ଜଳି ଜୈନ କହିଛନ୍ତି ଯେ ତାଙ୍କ ଖାଦ୍ୟରେ ମଧ୍ୟ ଜାତୀୟ ଗର୍ବ ପ୍ରତିଫଳିତ ହେବା ଉଚିତ। ଦେଶପ୍ରେମର ଭାବନା କେବଳ ସୀମାରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ଘରେ ଏବଂ ହୃଦୟରେ ରହିବା ଉଚିତ। ଏହି ନିଷ୍ପତ୍ତି କେବଳ କଥାର ବିଷୟ ନୁହେଁ ବରଂ ଭାବପ୍ରବଣତାର ବିଷୟ। ଗ୍ରାହକମାନେ ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ଏବଂ ପରିବର୍ତ୍ତିତ ନାମ ଦେଖି ଖୁସି ଅଛନ୍ତି।
ସହରର ଦଶନ୍ଧି ପୁରୁଣା ଦୋକାନ ‘ବମ୍ବେ ମିଷ୍ଠାନ ଭଣ୍ଡାର’ ଏବଂ ‘ଅଗ୍ରୱାଲ କ୍ୟାଟରର୍ସ’ ମଧ୍ୟ ମିଠାର ନାମ ପରିବର୍ତ୍ତନର ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସେମାନେ ସେମାନଙ୍କର ମିଠାର ନାମ ପରିବର୍ତ୍ତନ କରିଛନ୍ତି ଯେଉଁଥିରେ ‘ପାକ୍’ ଶବ୍ଦ ରହିଛି। ବମ୍ବେ ମିଷ୍ଠାନ ଭଣ୍ଡାରର ମହାପ୍ରବନ୍ଧକ ବିନୀତ ତ୍ରିଖା କହିଛନ୍ତି, “ଆମେ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଯେଉଁମାନେ ଭାରତ ଆଡ଼କୁ ଆଖି ଉଠାଇବାକୁ ସାହସ କରିବେ ସେମାନଙ୍କ ନାମ ଲିଭାଇ ଦିଆଯିବ ଏବଂ ପ୍ରତ୍ୟେକ ଭାରତୀୟ ନିଜ ନିଜ ଉପାୟରେ ଜବାବ ଦେବେ। ଏହା ଆମର ମଧୁର ବଚନ ଏବଂ ପ୍ରତୀକାତ୍ମକ ପ୍ରତିଶୋଧ।” ମିଠାର ନାମ ପରିବର୍ତ୍ତନକୁ ଗ୍ରାହକମାନେ ପ୍ରଶଂସା କରିଛନ୍ତି। ସୂଚନା ଥାଉକି ସହରର ଅନେକ ଛୋଟ ମିଠା ଦୋକାନ ମଧ୍ୟ ଏହି ପଦ୍ଧତିକୁ ଆପଣାଇଛନ୍ତି।
Comments are closed.