Latest Odisha News

BREAKING NEWS

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ନୂତନ କୁଳପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଫେସର ତ୍ରିପାଠୀ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଆଇଜିଏନ୍ଟିୟୁ (ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି)ର ଇତିହାସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

୧୯୬୪ ମସିହା ଜୁନ ୧୫ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ୧୯୮୬ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଜି ପାସ୍ କରିଥିବା ବେଳେ ୧୯୮୯ମସିହାରେ ନେଟ୍ କ୍ୱାଲିଫାଏ କରିଥିଲେ । ୧୯୯୪ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ । ୨୦୦୭ ନଭେମ୍ବରରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ୨୭ବର୍ଷର ଅଧ୍ୟାପନା ଜୀବନୀ ମଧ୍ୟରେ ତାଙ୍କର ୧୭ବର୍ଷର ପ୍ରଫେସର ଭାବେ କାର୍ଯ କରିବାର ଅଭିଜ୍ଞତା ରହିଛି ।

ତେବେ ଆଇଜିଏନ୍ଟିୟୁ ରେ ଏଚ୍ଓଡି ଭାବେ ୩ବର୍ଷ ୮ମାସ କାର୍ଯ୍ୟ କରିଥିବା ବେଳେ ଇଟାନଗର ସ୍ଥିତ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ଏଚ୍ଓଡି ଭାବେ ୩ବର୍ଷ, ବୋର୍ଡ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ ଭାବେ ୬ବର୍ଷ, ଆଇଜିଏନ୍ଟିୟୁ ରେ ନିର୍ଦ୍ଦେଶକ ଭାବେ ୩ବର୍ଷ, ଡିନ୍ ଭାବେ ୫ବର୍ଷ, ଏକାଡେମିକ କାଉନସିଲ ସଭ୍ୟ ଭାବେ ୧୨ବର୍ଷ ଏବଂ କାର୍ଯ୍ୟକାରୀ ପରିଷଦର ସଭ୍ୟ ଭାବେ ୩ବର୍ଷର ଅଭିଜ୍ଞତା ରହିଛି । ୫ଖଣ୍ଡ ପୁସ୍ତକ ରଚନା କରିଥିବା ବେଳେ ୧୩ଖଣ୍ଡ ପୁସ୍ତକର ସମ୍ପାଦନା କରିଛନ୍ତି । ୨୪ଟି ଜାତୀୟ ସ୍ତରର ସମ୍ମିଳନୀରେ ବିଭିନ୍ନ ବିଷୟରେ ଉପସ୍ଥାପନା ରଖିଥିବା ବେଳେ ୯ଟି ଆନ୍ତର୍ଜାତୀୟକ ସମ୍ମିଳନୀରେ ଯୋଗଦେଇ ଉପସ୍ଥାପନ ରଖିଥିଲେ ।

ତାଙ୍କ ଦ୍ୱାରା ୭୭ଟି ପୁସ୍ତକ ପ୍ରକାଶିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧ଜଣ ଗବେଷକ ତାଙ୍କ ଅଧିନରେ ପିଏଚ୍ଡ଼ି ହାସଲ କରିଛନ୍ତି ।

ସେପ୍ଟେମ୍ବର ୧୪ତାରିଖରୁ କୁଳପତି ପଦବୀରୁ ପ୍ରଫେସର କମଲକାନ୍ତ ମିଶ୍ରଙ୍କ କାର୍ଯ୍ୟଭାର ଶେଷ ହେବା ପରେ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟ ଆବେଦନକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ସର୍ଚ୍ଚ କମିଟି ପକ୍ଷରୁ ଚୟନ କରାଯାଇଥିଲା ।

ରାଜ୍ୟପାଳଙ୍କ ସହ ପ୍ରଫେସର କେକେ ବାସା, ବ୍ୟୋମକେଶ ତ୍ରିପାଠୀ ଏବଂ ଏ ଚୌଧୂରୀ ସାକ୍ଷାତ କରିବା ପରେ ସେମାନଙ୍କ ମଧ୍ୟରୁ ପ୍ରଫେସର ତ୍ରିପାଠୀଙ୍କୁ ଶନିବାର ନିଯୁକ୍ତ ଦିଆଯାଇଥିବା ରାଜ୍ୟପାଳ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତା ୩ବର୍ଷ ନଚେତ ତାଙ୍କୁ ୬୫ବର୍ଷ ହେବା ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

Leave A Reply

Your email address will not be published.