Latest Odisha News

BREAKING NEWS

ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ, “ନୋ ବ୍ୟାନର ଜୋନ୍” ଫଳକ ସ୍ଥାପିତ କରିବା ପାଇଁ ପ୍ରସ୍ତାବ

ଭୁବନେଶ୍ଵର: ଆଜି ଓଡ଼ିଶା ପ୍ରଦେଶ ରାଜଧାନୀ ଭୁବନେଶ୍ଵରର ଝାରପଡ଼ା ଛକ ଉପରେ ଅବସ୍ଥିତ ଦେଶର ଗରିମାମୟ ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ଘେରି ଅନେକ ନେତାଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି, ଯାହା ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

ଅଶୋକ ସ୍ତମ୍ଭ କେବଳ ଗୋଟିଏ ଭାସ୍କର୍ଯ୍ୟ ନୁହେଁ, ଏହା ଭାରତର ସଂବିଧାନ, ସାର୍ବଭୌମତ୍ୱ, ଆଇନର ଶାସନ ଓ ଜାତୀୟ ଗରିମାର ପ୍ରତୀକ। ଏପରି ଏକ ପବିତ୍ର ଓ ଗରିମାମୟ ଜାତୀୟ ଚିହ୍ନକୁ ରାଜନୈତିକ ପ୍ରଚାରର ବ୍ୟାନର – ପୋଷ୍ଟର ଦ୍ୱାରା ଢାଙ୍କି ଦେବା ଦୁଃଖଦ ଓ ଅଶୋଭନୀୟ। ଏହା କେବଳ ଜାତୀୟ ମର୍ଯ୍ୟାଦାର ଅବମାନନା ନୁହେଁ ବରଂ ଜନସାଧାରଣଙ୍କ ମନରେ ଭୁଲ୍ ସନ୍ଦେଶ ପ୍ରେରଣ କରୁଛି। ରାଜନୈତିକ ଦଳ ଓ ନେତାମାନେ ଲୋକତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଜାତୀୟ ପ୍ରତୀକମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ତାଙ୍କର ନୈତିକ ଦାୟିତ୍ୱ।

ଭୁବନେଶ୍ୱର ମହାନଗର ନିଗମ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏପରି ବ୍ୟାନର–ପୋଷ୍ଟର ହଟାଇବା ସହ ଭବିଷ୍ୟତରେ ଏପରି କାର୍ଯ୍ୟର ପୁନରାବୃତ୍ତି ନହେବା ନେଇ କଠୋର ନିର୍ଦ୍ଦେଶ ଜାରି କରିବା ପାଇଁ ବରିଷ୍ଠ ନୌସୈନିକ ବିଦ୍ୟାଧର ନାୟକ ମେୟରଙ୍କ ନିକଟରେ ଦାବି ରଖିଛନ୍ତି। ଗତ ବର୍ଷ ସମାନ ସମସ୍ୟା ନେଇ ବରିଷ୍ଠ ଐତିହ୍ୟ ଗବେଷକ ଅନୀଲ୍ ଧୀର ମହୋଦୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ସେ ପୋଷ୍ଟର ବ୍ୟାନରଗୁଡ଼ିକ ତୁରନ୍ତ ହଟାଯାଇଥିଲା। ତଥାପି ସ୍ଥାନୀୟ ନେତାମାନେ ସଚେତନ ନହେବା ନେଇ ଡଃ ସୁନୀତି ମୁଣ୍ଡ୍ ନିଜର କ୍ଷୋଭ ପ୍ରକାଶ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସେ ସ୍ଥାନରେ “ନୋ ବ୍ୟାନର ଜୋନ୍” ଲେଖି ଏକ ସୂଚନା ଫଳକ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଜାତୀୟ ପ୍ରତୀକ ଗୁଡ଼ିକର ସମ୍ମାନ କରିବା ଆମ ସମସ୍ତଙ୍କର ସାମୂହିକ କର୍ତ୍ତବ୍ୟ ଏଵଂ ଆମେ ସମସ୍ତେ ଏ ନେଇ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ ବରିଷ୍ଠ ପୂର୍ବ ନୌସୈନିକ ସମରେନ୍ଦ୍ର ପରିଜା ।

Leave A Reply

Your email address will not be published.