Latest Odisha News

BREAKING NEWS

କେତେ ମାରାତ୍ମକ ପ୍ରୋଷ୍ଟେଟ୍ କ୍ୟାନସର…ଲକ୍ଷଣ କ’ଣ, କେମିତି ବଞ୍ଚିବେ?

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର ।  ୮୨ ବର୍ଷୀୟ ବାଇଡେନ ପ୍ରୋଷ୍ଟେଟ୍ କ୍ୟାସନର ରୋଗରେ ପୀଡିତ ଅଛନ୍ତି, ଯାହା ତାଙ୍କ ହାଡ଼କୁ ବ୍ୟାପି ଯାଇଛି। ବାଇଡେନଙ୍କୁ ସମ୍ପ୍ରତି ପରିସ୍ରା ସମସ୍ୟା ହେବାରୁ, ପରୀକ୍ଷା ପରେ ଡାକ୍ତରମାନେ ପ୍ରୋଷ୍ଟେଟରେ ଏକ ଗଣ୍ଠି ପାଇଥିଲେ । ତଦନ୍ତରୁ ଜଣାପଡିଲା ଯେ ତାଙ୍କୁ ପ୍ରୋଷ୍ଟେଟ୍ କର୍କଟ ରୋଗ ହୋଇଛି ଏବଂ ଏହା ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଡାକ୍ତରଙ୍କ ମତରେ, ଏହି ସଂକ୍ରମଣ ହାଡ଼କୁ ବ୍ୟାପି ଯାଇଛି। ଏହାକୁ ରୋକିବା କଷ୍ଟକର। ତଥାପି, ଡାକ୍ତରମାନେ ହରମୋନ ଥେରାପି ଭଳି ଆଧୁନିକ ସୁବିଧା ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ପୁଅ ବ୍ୟୁ ବାଇଡେନ ୨୦୧୫ ମସିହାରେ ମସ୍ତିଷ୍କ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ।

ତେବେ କ’ଣ ଆପଣ ଜାଣନ୍ତି, କ’ଣ ଏହି ପ୍ରୋଷ୍ଟାଟ୍ କ୍ୟାନସର? ଏହା କେତେ ମାରାତ୍ମକ? ଏହାର ଲକ୍ଷଣଗୁଡ଼ିକ କିପରି ଦେଖାଯାଏ?…ଆସନ୍ତୁ ଜାଣିବା:-

ପ୍ରୋଷ୍ଟେଟ୍ କର୍କଟ ଏକ ସାଧାରଣ, କିନ୍ତୁ ଅତ୍ୟନ୍ତ ଗମ୍ଭୀର ରୋଗ । ଯାହା ସାଧାରଣତଃ ପୁରୁଷମାନଙ୍କ ଠାରେ ଦେଖାଯାଏ । ଏହି କର୍କଟ ପ୍ରୋଷ୍ଟେଟ୍ ଗ୍ରନ୍ଥିରେ ହୁଏ, ଯାହା ପୁରୁଷ ପ୍ରଜନନ ପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ଗ୍ରନ୍ଥି ମୂତ୍ରାଶୟ ତଳେ ଅବସ୍ଥିତ ଏବଂ ମୂତ୍ରନଳୀକୁ ଘେରି ରହିଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ବୀର୍ଯ୍ୟରେ ତରଳ ପଦାର୍ଥ ସୃଷ୍ଟି କରିବା, ଯାହା ଶୁକ୍ରାଣୁକୁ ପୋଷଣ ଏବଂ ସୁରକ୍ଷା ଦିଏ।

ପ୍ରୋଷ୍ଟେଟ୍ କର୍କଟ କ’ଣ?

ଯେତେବେଳେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କୋଷଗୁଡ଼ିକ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରନ୍ତି ଏବଂ ଅନିୟନ୍ତ୍ରିତ ଭାବରେ ବିଭାଜିତ ହୋଇ ଏକ ଗଣ୍ଠି (ଟ୍ୟୁମର) ସୃଷ୍ଟି କରନ୍ତି, ତାହାକୁ ପ୍ରୋଷ୍ଟେଟ୍ କର୍କଟ କୁହାଯାଏ । ପ୍ରାରମ୍ଭରେ ଏହି କର୍କଟ ଧୀରେ ଧୀରେ ବୃଦ୍ଧି ପାଏ ଏବଂ ବର୍ଷ ବର୍ଷ ଧରି ସୀମିତ ରହିପାରେ। କିନ୍ତୁ କିଛି କ୍ଷେତ୍ରରେ ଏହା ଆକ୍ରମଣାତ୍ମକ ହୋଇଯାଏ ଏବଂ ଶରୀରର ଅନ୍ୟ ଅଂଶ ଯେପରିକି ହାଡ଼ ଏବଂ ଲସିକା ଗ୍ରନ୍ଥିକୁ ବ୍ୟାପିବା ଆରମ୍ଭ କରିଦିଏ । ଯାହା ବାଇଡେନଙ୍କ କ୍ଷେତ୍ରରେ ହୋଇଛି ।

ପ୍ରୋଷ୍ଟେଟ୍ କର୍କଟ ରୋଗର ପ୍ରମୁଖ ଲକ୍ଷଣ

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୋଷ୍ଟେଟ୍ କର୍କଟ ରୋଗର କୌଣସି ସ୍ପଷ୍ଟ ଲକ୍ଷଣ ନଥାଏ, ତେଣୁ ଏହାକୁ ନୀରବ କର୍କଟ ମଧ୍ୟ କୁହାଯାଏ। କିନ୍ତୁ ଯେତେବେଳେ ଏହା ବଢ଼ିବାକୁ ଆରମ୍ଭ କରେ, କିଛି ଲକ୍ଷଣ ଦେଖାଯିବା ଆରମ୍ଭ କରେ । ଯେମିତିକି, ପରିସ୍ରା ସମସ୍ୟା, ବାରମ୍ବାର ପରିସ୍ରା…ବିଶେଷକରି ରାତିରେ, ପରିସ୍ରା କରିବାରେ କଷ୍ଟ କିମ୍ବା ପ୍ରତିବନ୍ଧକ, ପରିସ୍ରା କରିବା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହେବା, ଦୁର୍ବଳ କିମ୍ବା ମଝିରେ ମଝିରେ ପରିସ୍ରା ପ୍ରବାହ, ରକ୍ତସ୍ରାବ, ବୀର୍ଯ୍ୟରେ ପରିବର୍ତ୍ତନ, ବୀର୍ଯ୍ୟରେ ରକ୍ତସ୍ରାବ, ଯନ୍ତ୍ରଣାଦାୟକ ବୀର୍ଯ୍ୟପାତ, ପେଲଭିସ୍ ଅଞ୍ଚଳରେ ଯନ୍ତ୍ରଣା, ଜଙ୍ଘ, ପିଠି କିମ୍ବା ଅଣ୍ଟାରେ ଲଗାତାର ଯନ୍ତ୍ରଣା, ପ୍ରୋଷ୍ଟେଟ୍ ଚାରିପାଖରେ ଭାରୀ ଅନୁଭବ, ଯୌନ ଇଚ୍ଛା ହ୍ରାସ, ଲିଙ୍ଗରେ ସ୍ଥାୟିତ୍ୱର ଅଭାବ (ଇରେକ୍ଟାଇଲ୍ ଡିସଫଙ୍କସନ୍) ଭଳି ଲକ୍ଷଣ ଦେଖାଯାଏ ।

ଏଥିସହିତ ଶରୀରର ଅନ୍ୟାନ୍ୟ ଅଂଶରେ ମଧ୍ୟ କିଛି କିଛି ଲକ୍ଷଣ ପରିଲକ୍ଷିତ ହୁଏ । ଯଦି କର୍କଟ ହାଡ଼କୁ ବ୍ୟାପି ଯାଇଥାଏ, ତେବେ ହାଡ଼ ଯନ୍ତ୍ରଣା କିମ୍ବା ଭଙ୍ଗା ହେବାର ଆଶଙ୍କା ବଢ଼ିଯାଏ। ଏହା ସହିତ, ଦୁର୍ବଳତା, ଓଜନ ହ୍ରାସ ଏବଂ ଥକ୍କାପଣ ଭଳି ସାଧାରଣ ଲକ୍ଷଣ ମଧ୍ୟ ଦେଖାଦେଇପାରେ।

ତେବେ ଏହି ରୋଗ ୫୦ ବର୍ଷରୁ ଅଧିକ ବୟସର ପୁରୁଷମାନଙ୍କ ଠାରେ ବେଶୀ ଦେଖାଦିଏ । ଏହି କର୍କଟ ଆଫ୍ରିକୀୟ-ଆମେରିକୀୟ ପୁରୁଷମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ।ଏଥିସହିତ ଯଦି ପରିବାରରେ କାହାକୁ ପ୍ରୋଷ୍ଟେଟ୍ କର୍କଟ ହୋଇଛି, କିମ୍ବା ଆଗରୁ ହୋଇଥାଏ, ତେବେ ବିପଦ ଅଧିକ ବଢ଼ିଯାଏ। ଅଧିକ ଚର୍ବିଯୁକ୍ତ ଖାଦ୍ୟ ପ୍ରୋଷ୍ଟେଟ୍ କର୍କଟ ରୋଗର କାରଣ ହୋଇପାରେ। ତେବେ ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଗ୍ରହଣ କରି, ଏହି ରୋଗର ଆଶଙ୍କା କିଛି ପରିମାଣରେ ହ୍ରାସ କରାଯାଇପାରିବ।

Comments are closed.