Latest Odisha News

BREAKING NEWS

୧୦% ଗରିବ ଆଧାରିତ ଆରକ୍ଷଣ ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ କ୍ରାନ୍ତିବୀର ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ପାର୍ଲିଆମେଣ୍ଟରେ ବହୁମତରେ ଗୃହୀତ ୧୦% ଗରିବ ଆଧାରିତ ଆରକ୍ଷଣ ଆଇନରେ ପରିଣତ ହେବା ପରେ ଗତ ଫେବୃଆରୀ ମାସ ପହିଲାରୁ କେନ୍ଦ୍ର ସରକାର ଏହାକୁ ସମସ୍ତ ସରକାରୀ ଚାକିରୀ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ  ସରକାରଙ୍କ ଅଧୀନ ଚାକିରୀ କ୍ଷେତ୍ରରେ ଲାଗୁ କରାଇ ନାହାଁନ୍ତି । ଏହି ଗରିବ ଆଧାରିତ ୧୦% ଆରକ୍ଷଣ ତୁରନ୍ତ ଓଡ଼ିଶାରେ ଲାଗୁ କରିବା ପାଇଁ କ୍ରାନ୍ତିବୀର ଫାଉଣ୍ଡେସନ ଓ ଅନ୍ୟ ସମମନୋଭାବାପନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ଲୋୟର ପି.ଏମ୍.ଜି.ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କ୍ରାନ୍ତିବୀର ଫାଉଣ୍ଡେସନ ଆବାହକ ଆଶିଷ ଲେଙ୍କା ଓଡ଼ିଶା ସରକାରଙ୍କ  ନୀତିର ତୀବ୍ର ସମାଲୋଚନା କରିବା ସହ ପାର୍ଲିଆମେଣ୍ଟର ଅଧିବେଶନରେ ଏହି ଗରିବ ଆଧାରିତ ଆରକ୍ଷଣ ପାଇଁ ନବୀନ ସରକାରଙ୍କ ଦଳ ସହମତ ଥିଲାବେଳେ ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛି ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଇଂ ଦୀପକ ଜେନା ରାଜ୍ୟ ସରକାରଙ୍କ ଏହି ଢ଼ିଲା ମନୋଭାବ ଯୋଗୁଁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଛାତ୍ରଛାତ୍ରୀ ନିରୁତ୍ସାହିତ ହେଉଥିବା ଅଭିଯୋଗ କରିଥିଲେ । ଅନ୍ୟତମ ଛାତ୍ରନେତା ଶୁଭ୍ରଜିତ୍ ଦାଶ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର କାହିଁକି ସମ୍ବେଦନଶୂନ୍ୟ ବୋଲି ପ୍ରଶ୍ନ କରିଥିଲେ ।

ସ୍ୱାମୀ ବିବେକାନନ୍ଦ ପାଠଚକ୍ର ପକ୍ଷରୁ ଦୀପକ କୁମାର ବରାଳ ଅନ୍ୟତମ ସଦସ୍ୟ ରୂପେ ଯୋଗଦେଇ ଓଡ଼ିଶା ସରକାରଙ୍କ ଏହି ମନମୁଖୀ ଶାସନର ତୀବ୍ର ନିନ୍ଦା କରିଥିଲେ । କ୍ରାନ୍ତିବୀର ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ଶୁଭ୍ରାଂଶୁଶେଖର ପାତ୍ର ଏହି ଆନ୍ଦୋଳନକୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଥିଲେ ।

ଓଡ଼ିଶା ମହିଳା ଅଧିକାର ମଞ୍ଚ ସଭାପତି ବନଜାବାସିନୀ ତ୍ରିପାଠୀ ଏହି ବିକ୍ଷୋଭରେ ଯୋଗଦେଇ ଏହା ଅନେକ ଗରିବ ଛାତ୍ରଛାତ୍ରୀଙ୍କ ଜୀବନ ଭବିଷ୍ୟତର ପ୍ରସଙ୍ଗ ହୋଇଥିଲାବେଳେ ସମସ୍ତ ଅଭିଭାବକମାନେ ଏଥିପାଇଁ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସାମାଜିକ କର୍ମୀ ତଥା ଯୁବ ଡାକ୍ତର କୈଳାସ ଚନ୍ଦ୍ର ବିଶ୍ୱାଳ ରାଜ୍ୟ ସରକାର ଏହି ଗରିବ ଆଧାରିତ ଆରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ସହ ଏଥିରେ ରହିଥିବା ଘର ଓ ଜମିଜମା ସଂକ୍ରାନ୍ତିୟ ବିସଙ୍ଗତିକୁ ଦୂର କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ ।

ଓଡ଼ିଶା ଇ.ଡବ୍ଲ୍ୟୁ.ଏସ୍ ଆନ୍ଦୋଳନର ସଂଯୋଜକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ଓଡ଼ିଶାରେ ତୁରନ୍ତ ଏହି ୧୦% ଗରିବ ଆଧାରିତ ଆରକ୍ଷଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ରାଜ୍ୟର ଶାସକ ଦଳ ପାର୍ଲିଆମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଭରପୁର ସମର୍ଥନ କରିଥିବା ବେଳେ ବର୍ତ୍ତମାନ ଏହାକୁ ଲାଗୁ ନକରିବା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରାଧାଗୋବିନ୍ଦ ବିଶ୍ୱାଳ, ରଣଜିତ ଧଳ, ଆକାଶ କୁମାର ସାହୁ, ଶୁଭମ ପଣ୍ଡା, କାଶୀ ବିଶ୍ୱନାଥ, ଲକ୍ଷ୍ମଣ ଦାଶ, ସଞ୍ଜୀବ କୁମାର ମିଶ୍ରଙ୍କ ସମେତ ମହିଳା ସାମାଜିକ କର୍ମୀ ଇନ୍ଦିରା ଦାଶ, ସିପ୍ରା ଚକ୍ରବର୍ତ୍ତୀ, ଲିନୁ ମିଶ୍ର, ସୁଜାତା ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.